fbpx

ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

Advertisement

ଓଡିଶା ଭାସ୍କର; ମହାକାଶରେ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍‌୧ । ପୂର୍ବରୁ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ବେଳେ ଏବେ ଦ୍ୱିତୀୟ ଅର୍ବିଟ୍ ରେଜିଂ କରିବାରେ ସଫଳ ହୋଇଛି ଆଦିତ୍ୟ-ଏଲ୍‌୧ । ଏନେଇ ଏକ୍ସ ମାଧ୍ୟମରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)। ଭାରତର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ-ଏଲ୍‌୧ ଉପଗ୍ରହ ପୃଥିବୀର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ୟ୍ୟାୟ ସମାପ୍ତ କରିଛି ବୋଲି ଇସ୍ରୋ କହିଛି ।

ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ-ଏଲ୍‌୧ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ୟ୍ୟାୟ ସଫଳତାର ସହ କରାଯାଇଥିଲା । ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା । ବର୍ତ୍ତମାନ ଆଦିତ୍ୟ-ଏଲ୍‌୧ର ନୂତନ କକ୍ଷପଥ ୨୮୨ କିଲୋମିଟର ଙ୍ଘ ୨୦୨୨୫ କିଲୋମିଟର ରହିଛି ବୋଲି ସୂଚନା ଦେଇଛି ଇସ୍ରୋ । ସେହିପରି ଏହାର ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ (ଇବିଏନ୍‌#୩) ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୦୨:୩୦ ସମୟରେ କରାଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ମୋଟ ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ-L1 । ୨୦୨୩ ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1 ର ସଫଳ ଉତକ୍ଷେପଣ ହୋଇଥିଲା । ଲଞ୍ଚିଂ ଠାରୁ ୧୨୫ ଦିନ ପରେ, ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା L1ରେ ପହଞ୍ଚିବ । ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବ ।  ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ରା ଖଞ୍ଜାଯାଇଛି ।

Get real time updates directly on you device, subscribe now.