ନୂଆଦିଲ୍ଲୀ : ଇଣ୍ଡିଆନ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ (ବିଆଇଏସ) ଖାଉଟି ସୁରକ୍ଷା ଓ ଉତ୍ପାଦର କ୍ୱାଲିଟି କାୟମ ରଖିବା ପାଇଁ ଇ-କମର୍ସ ଦିଗ୍ଗଜ ଆମାଜନ ଓ ଫ୍ଲିପକାର୍ଟ ଗୋଦାମ ଉପରେ ଚଢଉ କରିଛି। ଏହି ଚଢଉ କାଳରେ ହଜାର ହଜାର ନିମ୍ନମାନର ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଗୁଡିକର କ୍ୱାଲିଟି ନେଇ ଆବଶ୍ୟକ ସାର୍ଟିଫିକେଟ ନଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଆଇଏସ୍ ଦୀର୍ଘ ୧୫ ଘଣ୍ଟା କାଳ ଧରି ଚଢଉ କରିଥିଲା।
ବିଆଇଏସ ଅଧିକାରୀମାନେ ଦିଲ୍ଲୀର ମୋହନ କୋ-ଅପରେଟିଭ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ରେ ଥିବା ଆମାଜନ ସେଲର୍ସ ପ୍ରାଇଭେଟ ଲିମିଟେଡର ଗୋଦାମ ଉପରେ ଚଢଉ କରିଥିଲେ। ଏହି ଚଢଉ କାଳରେ ଗିଜର, ଫ୍ରୁଟ ମିକ୍ସର ଆଦି ୩,୫୦୦ରୁ ଅଧିକ ଇଲେକ୍ଟ୍ରିକାଲ ଉତ୍ପାଦ ଜବତ କରିଛନ୍ତି। ଜବତ ସାମଗ୍ରୀର ମୋଟ ବଜାର ମୂଲ୍ୟ ୭୦ ଲକ୍ଷ ଟଙ୍କା ଆକଳନ କରାଯାଇଛି। ବିଆଇଏସ୍ ଫ୍ଲିପକାର୍ଟର ସହଯୋଗୀ ସଂସ୍ଥା ଇଂଷ୍ଟାକାର୍ଟ ସର୍ଭିସେସ୍ ଗାଦାମ ଉପରେ ମଧ୍ୟ ଚଢଉ କରିଛି।
ଏହି ଚଢଉରେ ୫୯୦ ହଳ ସ୍ପୋର୍ଟସ ଫୁଟୱେର ଜବତ କରାଯାଇଛି। ଏହି ଉତ୍ପାଦଗୁଡିକରେ ଆବଶ୍ୟକ ମେନୁଫେକ୍ଚରରଙ୍କ ଚିହ୍ନ ନଥିଲା। ଏଣୁ ଏ ଗୁଡିକର କ୍ୱାଲିଟି ସନ୍ଦିଗ୍ଧ ଥିଲା। ଜବତ କରାଯାଇଥିବା ଜୋତାର ମୋଟ ବଜାର ମୂଲ୍ୟ ଅନୁନ୍ୟ ୬ ଲକ୍ଷ ଟଙ୍କା ଆକଳନ କରାଯାଇଛି। ବିଆଇଏସ ପକ୍ଷରୁ ସାରା ଦେଶରେ କ୍ୱାଲିଟି ଷ୍ଟାଣ୍ଡାର୍ଡ ଲାଗୁ କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏଥି ପାଇଁ ଗତମାସରେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଲକ୍ଷ୍ନୌ ଓ ଶ୍ରୀପେରମ୍ବୁଦୂର ସମେତ ଅନେକ ସହରରେ ଚଢଉ କରାଯାଇଥିଲା।
ବିଆଇଏସଙ୍କ ଅନୁସାରେ ୭୬୯ ଉତ୍ପାଦ ଶ୍ରେଣୀକୁ ଭାରତୀୟ ଷ୍ଟାଣ୍ଡାର୍ଡ ଅନୁସାରେ ସାର୍ଟିଫିକେଟ ଅନିବାର୍ଯ୍ୟ ହୋଇଥାଏ। ଭାରତରେ ଉଚିତ ଲାଇସେନ୍ସ ବିନା ଖରାପ ମାନର ଉତ୍ପାଦ ବିକ୍ରି ବେଆଇନ। ବିଆଇଏସ ଅଧିନିୟମ ୨୦୧୬ ଅନୁଯାୟୀ ଯଦି କୌଣସି ବିନା ଅନୁମୋଦିତ ଖରାପ କ୍ୱାଲିଟିର ସାମଗ୍ରୀ ବିକ୍ରି କରୁଥାଏ କି ବିତରଣ କରୁଥାଏ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ଏଥିରେ ମୋଟା ରକମର ଜରିମନା ସମେତ ଜେଲ ଦଣ୍ଡ ମଧ୍ୟ ହୋଇପାରେ।