ଡାମାସ୍କସ୍,୧୬ା୭: ଇରାନ ପରେ ଏବେ ଇସ୍ରାଏଲ ସିରିଆ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଇସ୍ରାଏଲୀ ସେନା ବୁଧବାର ସିରିଆର ରାଜଧାନୀ ଡାମାସ୍କସ୍ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ ଏବଂ ରାଷ୍ଟ୍ରପତି ଭବନ ନିକଟରେ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି। ଯେତେବେଳେ ଏହି ଆକ୍ରମଣ କରାଯାଇଥିଲା, ସେତେବେଳେ ଜଣେ ଟିଭି ଆଙ୍କର ନିକଟବର୍ତ୍ତୀ ଏକ କୋଠାରେ ସିଧା ପ୍ରସାରଣ କରୁଥିଲେ। ସେହି ସମୟରେ ଏକ ଜୋରରେ ବିସ୍ଫୋରଣ ହୋଇଥିଲା, ଯାହା ଯୋଗୁ ସେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ।
ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ‘X’ରେ ଏହି ଭିଡିଓ ସେୟାର କରି କହିଛନ୍ତି, ଡାମାସ୍କସ୍ରେ ସିରିଆର ସାମରିକ ମୁଖ୍ୟାଳୟର ପ୍ରବେଶ ଦ୍ୱାରକୁ ଟାର୍ଗେଟ କରାଯାଇଛି। ସୁୱାଇଦାରୁ ପଛକୁ ହଟିଯିବା ପାଇଁ ସିରିଆର ସେନାକୁ ଚେତାବନୀ ଦେବା ପରେ ଇସ୍ରାଏଲୀ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏବେ ଆମର ଚେତାବନୀ ଶେଷ ହୋଇଛି। ଏବେ ଆମେ ଡାମାସ୍କସ୍ରେ ଯନ୍ତ୍ରଣାଦାୟକ ଆକ୍ରମଣ କରିବୁ। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ସୁୱାଇଦାରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
ଦକ୍ଷିଣ ସିରିଆର ସୁୱାଇଦାରେ ସ୍ଥାନୀୟ ସୁରକ୍ଷା ବାହିନୀ ଏବଂ ଡ୍ରୁଜ୍ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରେ ଇସ୍ରାଏଲ ସମ୍ପ୍ରତି ହସ୍ତକ୍ଷେପ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, IDF ସିରିଆରେ ଡ୍ରୁଜ୍ ସମ୍ପ୍ରଦାୟକୁ ସୁରକ୍ଷା ଦେବ।