ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଙ୍ଗୀତ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟରେ ଜଣେ ଜଣାଶୁଣା ଗାୟକଙ୍କର ପରଲୋକ ଘଟିଛି । ‘ଏ ପାନ ବାଲା ବାବୁ…’ ଗୀତ ଗାଇ ରାଜ୍ୟର ଶ୍ରୋତାଙ୍କ ମନକୁ ଜୟ କରିଥିବା ଗାୟକ ଆଉ ନାହାନ୍ତି । ଏହି ଗୀତର ଗାୟକ ଅନୀଲ ହରିପାଲଙ୍କ ପରଲୋକ ଘଟିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରନବଚନ ଗାଁରେ ଅନିଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଅନୀଲଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।
ନବେ ଦଶକରେ ଅନୀଲ ସମ୍ବଲପୁରୀ ଗୀତ ‘ଏ ପାନ ବାଲା ବାବୁ’ ଗୀତ ଗାଇ ବେଶ୍ ପରିଚିତ ହୋଇ ପାରିଥିଲେ । ଏହି ଗୀତଟି ସେ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲା । ପରବର୍ତ୍ତୀ ସମୟରେ ଏହି ଗୀତକୁ ଅନୀଲ ବିଭିନ୍ନ ଭାଷାରେ ଗାଇଥିଲେ । ଅନୀଲଙ୍କ ପରି ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନୀଲଙ୍କ ମୃତ୍ୟୁ ଖବର ପାଇ ସମ୍ବଲପୁର ତଥା ରାଜ୍ୟର କୋଣ ଅନୁକୋଣରେ ରହିଥିବା ତାଙ୍କର ଅଗଣିତ ପ୍ରଶଂସକମାନେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
୧୯୬୪ ମସିହାରେ ବୀରମିତ୍ରପୁରର ହଳଦିଆ ଦଫେଇଠାରେ ଅନୀଲ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବଧୂତ ହରିପାଲ ବୀରପୁତ୍ରପୁରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପରିବାରର ଚାରି ସନ୍ତାନଙ୍କ ମଧ୍ୟରେ ଅନୀଲ ଜ୍ୟେଷ୍ଠ ଥିଲେ । ସେ ବୀରମିତ୍ରପୁରରେ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ଗୀତ ଲେଖିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଅନୀଲ ଗାଇଥିବା ‘ଏ ପାନ ବାଲା ବାବୁ’ ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିବା ସହ ତାଙ୍କୁ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ପରିଚୟ ଦେଇଥିଲା । ୧୯୯୫ ମସିହା ପରଠାରୁ ପରିବାର ସହିତ ସେ ବଲାଙ୍ଗିରେ ଥିବା ପୈତୃକ ଗ୍ରାମରେ ରହିଆସୁଥିଲେ ।