fbpx

୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ AAPର ବ୍ୟାଟିଂ ଆରମ୍ଭ: ଆପ୍ଲାଏ ହେବ ଦିଲ୍ଲୀ ଓ ପଞ୍ଜାବ ଫର୍ମୂଲା, ମୋଦୀ ପାୱାରକୁ କମଜୋର କରିବାରେ କେଜ୍ରି ସଫଳ ହେବେ ନା ନାହିଁ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଏବେଠାରୁ ଫିଲ୍ଡ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଏହା ମଧ୍ୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ରାଜନୀତିକୁ ଲମ୍ଫ ମାରି ବ୍ୟାଟିଂ ପ୍ରାକ୍ଟିସ ଜାରି ରଖିଛନ୍ତି । ଇତିମଧ୍ୟରେ ଭୋଟ ହାତେଇବା ଲକ୍ଷ୍ୟରେ କିଛି ରାଜ୍ୟର ମୁଖିଆଙ୍କୁ ବିଜେପି ଓ କଂଗ୍ରେସ ପରିବର୍ତ୍ତନ କରିଦେଇଛନ୍ତି ।

ତେବେ ଏହି ରେସରେ ପଛରେ ପଡ଼ିନାହିଁ ଆମ ଆଦମୀ ପାର୍ଟି (ଆପ) । ଭାରତବର୍ଷର ହୃଦପିଣ୍ଡ ଦିଲ୍ଲୀକୁ ହାତେଇବା ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବରେ ଆପ ସରକାର ଗଠନ କରିଛି । ପଞ୍ଜାବ ବିଜୟ ପରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପାଦ ଆଉ ତଳେ ଲାଗୁ ନାହିଁ । ସେ ୨୦୨୪ ଲଢ଼େଇରେ ପ୍ରଧାନମନ୍ତ୍ରୀ ଦାବିଦାର ବୋଲି ପରୋକ୍ଷରେ ପ୍ରମାଣ କରିଦେଇଛନ୍ତି । ଦେଶରେ ବିଜେପି ବର୍ତ୍ତମାନ ସର୍ବବୃହତ ଦଳ ହୋଇଥିବା ବେଳେ ତା’ର ମୁଖ୍ୟ ବିରୋଧୀ ଥିଲା କଂଗ୍ରେସ । କଂଗ୍ରେସର ଯୁବରାଜ ରାହୁଲ ସ୍ଥାନ ନେବାକୁ ଏବେ ମୈଦାନକୁ ଆସିଗଲେଣି ଦିଦି ଆଉ କେଜ୍ରି । ତେବେ ଆଗକୁ ଦେଶରେ ମହାବିରୋଧୀ ମହାମେଣ୍ଟ ଗଠନ ହେବ କି ନା ତାହା ଏବେଠୁ କହି ହେବ ନାହିଁ । ଯଦି ଏପରି ହୁଏ ତେବେ ମୋଦୀଙ୍କ ରଥର ଗତି ହୁଏତ ମନ୍ଥର ପଡ଼ିପାରେ ।

ତେବେ ଚର୍ଚ୍ଚା ହେଉଛି, ୨୦୨୪ ଲୋକସଭା ନିର୍ବାଚନ ପାଇଁ କ୍ରେଜିଙ୍କୁ ଏବେ ରାତିରେ ନିଦ ନାହିଁ । ଦିଲ୍ଲୀ, ପଞ୍ଜାବରେ ଯେପରି ଗେରୁଆ ଦଳର କୌଣସି ଅସ୍ତ୍ର କାମ କଲା ନାହିଁ, ଅନୁରୂପ ଭାବେ ୨୦୨୪ରେ କିଛି ଯାଦୁ ଦେଖାଇବା ପ୍ରୟାସରେ ରହିଛ ଆପ୍ । ତେବେ କୌଣସି ଦଳ ସହିତ ଗଠବନ୍ଧନ ହେବ ନାହିଁ, ବରଂ ୧୩୦ କୋଟି ଜନତାଙ୍କ ସହ ଗଠବନ୍ଧ କରିବେ ବୋଲି ଆପ ସୁପ୍ରିମୋଙ୍କ ବୟାନ ପରେ ଏବେ ରାଜନୀତି ତୀବ୍ର ହେବାରେ ଲାଗିଛି । ତେବେ ଦେଶରେ କଂଗ୍ରେସ ଦିନକୁ ଦିନ ତଳକୁ ଖସୁଥିବା ବେଳେ ଦୁଇଟି ରାଜ୍ୟରେ ସରକାର ଗଠନ କରି କେଜ୍ରି ପ୍ରମାଣ କରିଦେଇଛନ୍ତି ଯେ, ସେ ହିଁ ମୋଦୀଙ୍କର ଅସଲ ପ୍ରତିଦ୍ୱନ୍ଦ୍ୱୀ । ଦେଖାଯାଉ ୨୦୨୪ରେ ମୋଦୀ ପାୱାରଙ୍କୁ କମଜୋର କରିବାରେ କେଜ୍ରି ସକ୍ଷମ ହେଉଛନ୍ତି ନା ନାହିଁ ।

Get real time updates directly on you device, subscribe now.