fbpx

ଆଜି ବିହାରରେ ଆସ୍ଥା ଭୋଟ୍‌, NDA ଏବଂ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ଛକାପଞ୍ଝା

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଏନେଇ ବିହାର ରାଜନୀତି ବେଶ ସରଗରମ ରହିଛି । ଉଭୟ ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ନିଜ ନିଜ ବିଧାୟକଙ୍କୁ ଏକ ପ୍ରକାର ନଜରବନ୍ଦ କରି ରଖିଛନ୍ତି । ଏପଟେ ଜେଡିୟୁର ୪ ଜଣ ବିଧାୟକଙ୍କ ଦେଖା ଦର୍ଶନ ମିଳୁନଥିବାରୁ ନୀତିଶ କୁମାରଙ୍କ ଟେନସନ୍ ବଢ଼ିଯାଇଛି ।

ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ରାଜନୈତିକ ହଲଚଲ ଦେଖାଦେଇଛି । NDA ଏବଂ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଅପରପକ୍ଷରେ ଆସ୍ଥା ଭୋଟରେ ବହୁମତ ହାସଲ କରିବା ନେଇ ନୀତିଶ କୁମାର ଦାବି କରିଛନ୍ତି । ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଜେଡିୟୁ ବିଧାୟକ ଦଳ ବୈଠକରେ ୪ ଜଣ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ନିନ୍ଦା କରିବା ସହ ଏହାକୁ ‘ଅପରିହାର୍ଯ୍ୟ ପରିସ୍ଥିତି’ ବୋଲି କହିଥିଲେ । ସୂଚନାରୁ ପ୍ରକାଶ ଆରଜେଡି ଶନିବାର ଏହାର ବିଧାୟକମାନଙ୍କର ଏକ ବୈଠକ ଡାକିଥିଲା । ଏହାପରେ ସମସ୍ତ ବିଧାୟକଙ୍କୁ ତେଜସ୍ୱୀ ଯାଦବଙ୍କ ବାସଭବନରେ ଅଟକା ଯାଇଥିଲା । ସେହିପରି କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦରୁ ଫେରି ପାଟନାରେ ପହଂଚିଛନ୍ତି । ଏବେ ଏହି କଂଗ୍ରେସ ବିଧାୟକ ତେଜସ୍ୱୀଙ୍କ ଘରେ ଅଛନ୍ତି । ସିପିଆଇ(ଏମ୍ ଏଲ୍ )ର ୧୨ ଜଣ ଏମ୍ ଏଲ୍ ମଧ୍ୟ ଅଛନ୍ତି । କୁହାଯାଉଛି ଯେ, ଫ୍ଲୋର ଟେଷ୍ଟ ପରେ ଇଣ୍ଡିଆ ଆଲାଏନ୍ସର ସମସ୍ତ ବିଧାୟକ ନିଜ ନିଜ ଘରକୁ ଯାଇପାରିବେ । ପାଟନାରେ ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ବାସଭବନରେ ବୈଠକ ପରେ ଜେଡିୟୁ ବିଧାୟକଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ନୀତୀଶ କୁମାରଙ୍କ ସମସ୍ତ ବିଧାୟକ ପାଟନାର ହୋଟେଲ ଚାଣକ୍ୟରେ ରହୁଛନ୍ତି । ୪ ଜଣ ବିଧାୟକ ଅନୁପସ୍ଥିତ ଅଛନ୍ତି ।

ଏନଡିଏ ପାଖରେ ୧୨୮ ବିଧାୟକ ଥିବା ବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ବିଧାୟକଙ୍କ ଆବଶ୍ୟକତା ରହିଛି । ଏଥିରେ ବିଜେପିର ୭୮, ଜେଡିୟୁର ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-ଏସ୍ ର ୪ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ସେହିପରି ମହାମେଂଟର ୧୧୪ ବିଧାୟକ ଅଛନ୍ତି । ଏଥିରେ ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମପନ୍ଥୀ ଦଳର ୧୬ ବିଧାୟକ ରହିଛନ୍ତି ।

Get real time updates directly on you device, subscribe now.