fbpx

Human Combustion ଦ୍ୱାରା ଆପେ ଆପେ ଜଳିଯାଉଛି ମଣିଷ: ନିଆଁ ଆସିଲା କୁଆଡ଼ୁ, କ’ଣ ରହିଛି ରହସ୍ୟ, କ’ଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ସାଧାରଣ ଭାବେ କୌଣସି ସ୍ଥାନରେ ନିଆଁ ଲଗାଇବା ପାଇଁ ଆମକୁ ଦିଆସିଲିର ଆବଶ୍ୟକତା ପଡ଼ିଥାଏ । ତେବେ ଜଣେ ମଣିଷ ବିନା କୌଣସି ବାହ୍ୟ ଜିନିଷର ସ୍ପର୍ଶରେ ଆପେ ଆପେ ନିଆଁରେ ଜଳି ମୃତ୍ୟୁବରଣ କରିବା କଥାକୁ ହୁଏତ କେହି ବିଶ୍ୱାସ କରିବେ ନାହିଁ । ମାତ୍ର ଏନେଇ ଅନେକ ମାମଲା ସାମ୍ନାକୁ ଆସିବା ପରେ ଅନେକ ନୂଆ ତଥ୍ୟର ପର୍ଦ୍ଦାଫାସ ହୋଇଛି । ପୁରାଣ ଯୁଗରେ ଦୈବୀ ଶକ୍ତିଦ୍ୱାରା ମଣିଷ ନିଜେ ନିଜେ ଜଳିପୋଡ଼ି ଭସ୍ମ ହୋଇଯାଉଥିଲା । ମାତ୍ର ଆଜି ଯଦି ଆମେ ଏହି କଥାକୁ ସତ୍ୟ ବୋଲି ଆମେ ଗ୍ରହଣ କରିବା, ତେବେ ମଣିଷ ଦେହରେ କେତେ ଅଗ୍ନି ରହିଛି ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ ।

ଜଣାପଡ଼ିଛି ଯେ, ଗତ ୩୦୦ ବର୍ଷ ମଧ୍ୟରେ ମଣିଷ ନିଜେ ନିଜେ ଜଳି ମୃତ୍ୟୁବରଣ କରିଥିବା ୨୦୦ଟି ମାମଲା ସାମ୍ନାକୁ ଆସିଛି । ଗତ ୨୦୧୦ରେ ଶୀତଦିନେ ଆୟରଲ୍ୟାଣ୍ଡରେ ଜଣେ ୭୬ ବର୍ଷୀୟ ବୟସ୍କ ନିଜର ବାସଗୃହରେ ନିଜେ ନିଜେ ଜଳି ଯାଇଥିଲେ । ଉକ୍ତ ମାମଲାର ଯାଞ୍ଚ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ପୋଲିସ ଉକ୍ତ ମୃତ୍ୟୁ ପଛର କାରଣ ପର୍ଦ୍ଦାଫାସ କରିବାରେ ଅକ୍ଷମ ରହିଥିଲା । ମାତ୍ର ଏକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ରିପୋର୍ଟ ସମସ୍ତଙ୍କର ନିଦ ହଜାଇ ଦେଇଥିଲା । ବୟସ୍କଙ୍କ ମୃତ୍ୟୁର କାରଣ ହେଉଛି ‘ସ୍ପୋଣ୍ଟାନିଅସ ହ୍ୟୁମାନ କମ୍ବୁଷ୍ଟସନ ବା ସହଜ ମାନବ ଦହନ ବୋଲି ସେଥିରେ ଲେଖାଥିଲା ।

ଏ ବାବଦରେ ୟୁନିଭରସିଟି ଅଫ୍ ଏଡିଲେଡର ଜଣେ ଗବେଷକ କହିଛନ୍ତି, ଯେତେବେଳେ ଯାଞ୍ଚକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେ ସମୟରେ ସେମାନେ ସେ ସ୍ଥାନରୁ ବୃଦ୍ଧଙ୍କ ହାତ ଓ ପାଦ ଠିକ୍ ଭାବେ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ମୁଣ୍ଡ ଓ ବେକ ଜଳି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଥିଲା । ମାତ୍ର ଆଖପାଖରେ ଥିବା କୌଣସି ଜିନିଷପତ୍ର କିଛି ବି ନଷ୍ଟ ହୋଇନଥିଲା । ତେବେ ଏହା ସହଜ ମାନବ ଦହନର ଅସଲ ପ୍ରକ୍ରିୟା କି ନୁହେଁ ତାହା କହିବା ମୁସ୍କିଲ । ଗତ ୩୦୦ ବର୍ଷ ମଧ୍ୟରେ ଆସିଥିବା କେସଗୁଡ଼ିକରେ ପେଟ୍ରୋଲ, କିରାସିନି, ଲାଇଟର, ଦିଆସିଲି କିଛି ବି ବ୍ୟବହାର ହୋଇନଥିବା ଜଣାପଡ଼ିଛି ।

ତେବେ ଏହି ପ୍ରକ୍ରିୟାରେ ହାତ, ପାଦର ଆଙ୍ଗୁଠିର କୌଣସି କ୍ଷତି ନ ଘଟୁଥିବା ବେଳେ ଶରୀରର ଅନ୍ୟ ଅଙ୍ଗସବୁ ଜଳି ଯାଉଥିବା ଦେଖାଯାଇଥିଲା । ୧୯୫୧ରେ ଆମେରିକାର ଫ୍ଲୋରିଡ଼ାରେ ଆମେରିକାର ଜଣେ ମହିଳା ଏପରି ଭାବେ ମୃତ୍ୟୁବରଣ କରିଥିଲେ । ସପ୍ତଦଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଡେନମାର୍କର ଜଣେ ଏନାଟୋମି ବିଶେଷଜ୍ଞ ମିଣିଷ ନିଜେ ଜଳିଯିବା ଉପରେ ତଥ୍ୟ ପ୍ରଦାନ କରିଥିଲେ ।

ମଣିଷ ଅଚାନକ ନିଜେ ନିଜ ଜଳି ପୋଡ଼ିଯିବା ମାମଲାକୁ ଅଧିକାଂଶ ସମୟରେ ମଦ୍ୟପାନକୁ ଦାୟୀ କରାଯାଇଥାଏ । ମାତ୍ର ୧୮୫୩ରେ ପ୍ରସିଦ୍ଧ ଲେଖକ ଚାର୍ଲ୍ସ ଡିକେନ୍ସଙ୍କ ଏକ ତଥ୍ୟ ସମସ୍ତଙ୍କର ଆଖି ଖୋଲି ଦେଇଥିଲା । ମଣିଷ ନିଜେ ନିଜେ ଜଳିଯିବା ସମ୍ଭବ, ମାତ୍ର ଏହା କିଛି ପରିସ୍ଥିତିରେ ସମ୍ଭବ ହୋଇପାରେ । ଏହା ଅଚାନକ ସମ୍ଭବ ହୋଇପାରିବ ନାହିଁ । ବିଜ୍ଞାନ ମତରେ, ମଣିଷର ଶରୀର ଏକ ମହମବତୀ ପରି କାର୍ଯ୍ୟ କରିଥାଏ । ବିଜ୍ଞାନରେ ଏହାକୁ ୱିକ ଇଫେକ୍ଟ କୁହାଯାଇଥାଏ । ଏ କ୍ଷେତ୍ରରେ ମଣିଷର ଶରୀର ଏକ କ୍ୟାଣ୍ଡେଲ ପରି ଆଚରଣ କରିଥାଏ ।

୧୯୯୮ରେ ଇଂଲଣ୍ଡର ଜଣେ ବୈଜ୍ଞାନିକ ଏକ ମୃତ ଘୁଷୁରୀ ସହିତ ଏପରି ପରିସ୍ଥିତି ସୃଷ୍ଟି କରିଥିଲେ । ଗୋଟିଏ ଘୁଷୁରୀର ଶରୀର ଆପେଆପେ ଜଳି ଯାଇଥିଲା । ଘୁଷୁରୀକୁ ପ୍ରଥମେ ଏକ କମ୍ବଳରେ ଘୋଡ଼ାଯାଇ ତା’ ଦେହରେ ନିଅାଁ ଲଗାଯାଇଥିଲା । ମାତ୍ର ତା’ର ପାଦ ଜଳି ନଥିଳା । ସେଇ ଆପେଆପେ ଜଳିବା କାହାଣୀ ମଣିଷ ସହିତ ଘଟି ଆସୁଛି । ଲୋକଙ୍କର ମୁଣ୍ଡ ଜଳିଯାଉଛି, ମାତ୍ର ହାତ ଓ ପାଦ ବଞ୍ଚିଯାଉଛି । ୱିକ ଇଫେକ୍ଟ ଅନୁଯାୟୀ ଶରୀରରେ ଜମା ଥିବା ଫ୍ୟାଟ ନିଆଁ ପାଇଁ ଇନ୍ଧନ ପରି କାର୍ଯ୍ୟ କରିଥାଏ । ମଣିଷ ନିଜର ଫ୍ୟାଟ କାରଣରୁ ମହମବତୀ ପରି ଜଳିଯାଇଥାଏ । ମଦ ପିଇବା ସମୟରେ ସିଗାରେଟର ନିଆଁ ଲାଗି ତାହା ଶରୀର ଭିତରକୁ ଚାଲିଯାଇଥାଏ । ପ୍ରଥମେ ମଦ ଜଳିବ ତା’ପରେ ଅଙ୍ଗ ଓ ଫ୍ୟାଟ । ଏହାପରେ ମଣିଷ ଧୀରେଧୀରେ ଜଳିଯାଇଥାଏ । ମାତ୍ର ଏପରି ଘଟଣା ଦୁର୍ଲ୍ଲଭ ଅଟେ କିନ୍ତୁ ଏଥିରେ କୌଣସି ଦିବ୍ୟ ଶକ୍ତି ନିହିତ ନାହିଁ ।

Get real time updates directly on you device, subscribe now.