ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ପୁଣି ଥରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ପୁନର୍ବାର କରୋନା ପ୍ରବେଶ କରିଛି। ଦିଲ୍ଲୀ ଦଳର ଜଣେ ଖେଳାଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଖେଳାଳି ହେଉଛନ୍ତି ଜଣେ ନେଟ୍ ବୋଲର। ଦଳକୁ ନିଜ ହୋଟେଲ ରୁମରେ ଆଇସୋଲେଟରେ ରହିବାକୁ ଆଦେଶ ଦିଆଯାଇଛି। ସମସ୍ତ ଖେଳାଳି ଏବଂ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସବୁଠୁ ବଡ କଥା ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚଳିତ ସିଜିନରେ ଉଭୟ ଦଳ ପ୍ରଥମ ଥର ପରସ୍ପରକୁ ଭେଟୁଛନ୍ତି। ଏହି ମୁକାବିଲା ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଆଜି ସକାଳେ ସମସ୍ତ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ କରୋନା ପରୀକ୍ଷଣ କରାଯାଇଥିଲା। ଏଥିରୁ ଜଣେ ନେଟ୍ ବୋଲରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।
ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ପରିବାରର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ କିଛି ଦିନ ରିକି ପଣ୍ଟିଂଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ପଡିଥିଲା। ଗତ ମାସରେ ଦିଲ୍ଲୀ କ୍ୟାପିଟାଲ୍ସର ବିଦେଶୀ ଖେଳାଳି ଟିମ୍ ସେଇଫର୍ଟ, ମିଚେଲ ମାର୍ଶ ଏବଦଂ ସପୋର୍ଟ ଷ୍ଟାଫର ୪ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ମାତ୍ର ଦଳ ଯାହାର ଶିବିରରୁ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହି କାରଣରୁ ଦଳ ମ୍ୟାଚର ସମୟ ଏବଂ ସ୍ଥାନ ପରିବର୍ତ୍ତନ କରାଯାଇଥିଲା।