ସାବଧାନ! ବାଇକରେ ତେଲ କମ୍ ଥିଲେ କଟିବ ଚାଲାଣ: ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ଗାଡିରେ ତେଲ କମ୍ ରହିଲେ ମଧ୍ୟ ଆପଣଙ୍କର ଚାଲାଣ କଟାଯାଇପାରେ ଏବଂ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ । ପ୍ରାୟ ସମସ୍ତ ଲୋକ ଏହି ନିୟମ ବିଷୟରେ ଜାଣି ନଥାନ୍ତି । ତେବେ ଟ୍ରାଫିକ ରୁଲରେ ଏହି ନିୟମ ରହିଛି । ତେବେ କେରଳରେ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କର ଚାଲାଣ କଟାଯାଇଛି । ଯାହାର ରିସିପ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତୁଳସୀ ଶ୍ୟମ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହି ଚାଲାଣ କଟାଯାଇଛି । ମୋଟର ସାଇକେଲରେ ତେଲ କମ୍ ରହିଥିବାରୁ ଟ୍ରାଫିକରେ ତାଙ୍କ ନାଁରେ ଚାଲାଣ କଟିଛି । ଏ ଘଟଣା ନେଇ ଶ୍ୟାମ ନିଜେ ଫେସବୁକରେ ସୂଚନା ଦେଇଛନ୍ତି । ରୋୟଲ ଏନଫିଲ୍ଡ କ୍ଲାସିକ ୩୫୦ରେ ଅଫିସ ଯାଇଥିଲେ ତୁଳସୀ ଶ୍ୟାମ । ତେବେ ବିପରୀତ ଦିଗରେ ଯାଉଥିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କ ୨୫୦ ଟଙ୍କାର ଚାଲାଣ କାଟିଥିଲେ ଟ୍ରାଫିକ ପୋଲିସ । ତେବେ ଶ୍ୟାମ ମଧ୍ୟ ଜରିମାନା ଦେଇ ଅଫିସ ଚାଲି ଯାଇଥିଲେ ।

ତେବେ ଅଫିସ ପାଇଁ ବିଳମ୍ବ ହେଉଥିବାରୁ ସେ ଜରିମାନା ଭରି ସେଠାରୁ ଚାଲିଯାଇଥିଲେ । କିନ୍ତୁ ପରେ ସ୍ଲିପକୁ ଠିକସେ ପଢିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଚାଲାଣ କଟାଯିବାର ପ୍ରକୃତ କାରଣ କମ୍ ତେଲରେ ଗାଡି ଚଳାଇବା ବୋଲି ସେ ଜାଣିବାକୁ ପାଇଥିଲେ । ତେବେ ଏ ନେଇ ଓକିଲଙ୍କ ସହ ସମ୍ପର୍କ କରିଥିଲେ ତୁଳସୀ ଶ୍ୟାମ । ଯାହା ଫଳରେ ସେ ଜାଣିବାକୁ ପାଇଥିଲେ ଯେ, ଏହି କାରଣରୁ ମଧ୍ୟ ଚାଲାଣ କଟାଯାଇପାରେ ।

ପରେ ମୋଟର ଭେହିକଲ ଡିପାର୍ଟମେଣ୍ଟର ଜଣେ ଅଧିକାରୀ ଏ ସମ୍ପର୍କରେ ତୁଳସୀ ଶ୍ୟାମଙ୍କୁ ଫୋନ କରିଥିଲେ । ଗାଡିରେ କମ୍ ପେଟ୍ରୋଲ ସହ ଯାତାୟତ କରିବା ଦ୍ୱାରା କେବଳ ବ୍ୟବସାୟିକ ଯାନବାହନ ଉପରେ ଚାଲାଣ ଲଗାଯାଇପାରିବ । ପାସେଞ୍ଜରମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଗାଡିରେ ପର୍ଯ୍ୟାପ୍ତ ପରିମାଣରେ ତେଲ ରହିଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ଏହି ନିୟମ ଲଙ୍କଜ୍ଞର କରାଯାଇଛି । ଏଥିପାଇଁ ୨୫୦ ଟଙ୍କା ଜରିମାନା ହୋଇପାରେ । ତେବେ ଟ୍ରାଫିକ ପୋଲିସ ଭୁଲରେ ତାଙ୍କ ନାମରେ ଏହି ଚାଲାଣ କାଟି ଦେଇଥିବା କହିଛନ୍ତି ଶ୍ୟାମ ।