fbpx

ସାବଧାନ! ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ନିଆଯିବ ଦୁଇଗୁଣା ଜରିମାନା

ଭୁବନେଶ୍ୱର: ସହରକୁ ଗୋରୁମୁକ୍ତ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଚେତନ ଏବଂ ଚେତାବନୀ ପରେ ଏବେ ବିଏମ୍‌ସି ପୁରା ଆକ୍ସନ ମୁଡ୍‌କୁ ଆସିଥିବା ଦେଖିବାକୁ ମିଳୁଛି। ଆଉ ୫ ଦିନ ପରେ ଅର୍ଥାତ ଜାନୁଆରୀ ୧୫ ପରେ ଯଦି କୌଣସି ଗୋରୁ (ଗାଈ, ଷଣ୍ଢ, ମଇଁଷି) ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ବିଏମ୍‌ସି ତାହାକୁ ସିଧା ଉଠାଇ ନେବ। ଏନେଇ ବିଏମ୍‌ସି ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ଥରେ ଗୋରୁ ଧରିବା ପରେ ତାହାକୁ ଆଉ ସମ୍ପୃକ୍ତ ମାଲିକଙ୍କୁ ଫେରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି।

ହେଲେ କେବଳ ଦୁହାଁଳିଆ ଗାଈଙ୍କ କ୍ଷେତ୍ରରେ ନିୟମକୁ କିଛିଟା କୋହଳ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ଗାଈ ମାଲିକଙ୍କୁ ବିଏମ୍‌ସିକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ତେବେ ବିଏମ୍‌ସିର ବିଭିନ୍ନ ଏଜେନ୍ସି ଦ୍ୱାରା ରାସ୍ତାରୁ ଗୋରୁ ଉଠାଉଥିବାବେଳେ ଏଥିପାଇଁ ପ୍ରତି ଗୋରୁ ପିଛା ଏଜେନ୍ସିକୁ ୨୨୮୬ଟଙ୍କା ଦେବାକୁ ପଡୁଛି। ସେହିପରି ଗୋଶାଳାରେ ରଖି ସେମାନଙ୍କ ଖାଇବା ପିଇବା ସେବା ବାବଦରେ ଦିନକୁ ୨ଶହ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଯେଉଁମାନେ ସେମାନଙ୍କର ଦୁହାଁଳିଆ ଗାଈକୁ ବିଏମସି ଠାରୁ ନେବାକୁ ଚାହିଁବେ ସେମାନେ ବିଏମ୍‌ସି ଖର୍ଚ୍ଚ କରିଥିବା ଟଙ୍କାର ଦୁଇଗୁଣା ପଇଠ କରିବା ପରେ ହିଁ ଗାଈକୁ ନେଇ ପାରିବେ। ଏଭଳି କିଛି ଚେତାବନୀ ଦେଇଛନ୍ତି ବିଏମ୍‌ସି କତୃପକ୍ଷ।

ସୂଚନା ଥାଉକି, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଘାରିଛି ଭିକାରି, ବୁଲା ଗୋରୁ ଓ କୁକୁରଙ୍କ ଚିନ୍ତା। କିଛି ଦିନ ତଳେ ଭିକାରିଙ୍କୁ ଉଠେଇ ନେବା ନେଇ ଅନେକ ସାରା ଚର୍ଚ୍ଚା ଦେଖିବାକୁ ମିଳୁଥିଲା। ସେହିପରି ସୋମବାର ବିଏମସି ସମେତ ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ଅନ୍ୟପଟେ କେମିତି ସହରକୁ ଗୋରୁମୁକ୍ତ କରାଯିବ ସେ ନେଇ ମଧ୍ୟ ବିଏମ୍‌ସି ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଦେଖିବାକୁ ମିଳୁଛି।

 

Get real time updates directly on you device, subscribe now.