fbpx

ଏହି ଲକ୍ଷଣ ଦେଖାଦେଲେ ସାବଧାନ ! ଜାଣିବେ ଛୁଆଙ୍କୁ ଘାରିଛି ମୋବାଇଲ ନିଶା

ଆପଣଙ୍କ ପିଲା ସାଙ୍ଗମାନଙ୍କ ସହ ରହିବା ପରିବର୍ତ୍ତେ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି କି ? ଖେଳକୁଦ କରିବା ବୟସରେ ମୋବାଇଲରେ ଗେମ୍‍ ଖେଳିବାରେ ବ୍ୟସ୍ତ ରହୁଥିଲେ ହୋଇଯାଆନ୍ତୁ ସାବଧାନ । ମାନସିକ ରୋଗୀ ବିଶେଷଜ୍ଞ ମତରେ ପିଲାମାନେ ଖେଳକୁଦ ନକରିବା, ଏକାକୀ ରହିବା ଲକ୍ଷଣ ମୋବାଇଲ ନିଶା ଯୋଗୁ ଦେଖାଯାଏ ।

ଏହା ଏକ ଗମ୍ଭୀର ପରିସ୍ଥିତି । ଯାହାର କାଉନସେଲିଂ କରିବା ଅତ୍ୟନ୍ତ ଜରୁରୀ । ପ୍ରଥମ ପର୍ଯ୍ୟାୟରେ ପିତାମାତା ମାନେ କିଛି ସତର୍କତା ଅବଲମ୍ବନ କରି ନିଜ ପିଲାଙ୍କୁ ମୋବାଇଲ ନିଶାରୁ ଦୂରେଇ ରଖିବା ଉଚିତ ।

ମାନସିକ ରୋଗୀ ବିଶେଷଜ୍ଞଙ୍କ ମତରେ ଅଧିକାଂଶ ସମୟରେ ପରିବାର ସଦସ୍ୟ ମାନେ ନିଜ କାମରେ ବ୍ୟସ୍ତ ରହୁଥିବାରୁ ପିଲାମାନେ ଏକୁଟିଆ ହୋଇଯାଆନ୍ତି । ଫଳରେ ସେମାନେ ମୋବାଇଲ ଦୁନିଆରେ ବ୍ୟସ୍ତ ରହିବାକୁ ଭଲ ପାଆନ୍ତି । ପରେ ଏହି ମୋବାଇଲ ସେମାନଙ୍କ ପାଇଁ ନିଶା ପାଲଟିଯାଏ । ଏଭଳି ପରିସ୍ଥିତିରେ ପିଲାଙ୍କୁ ବାସ୍ତବ ଦୁନିଆରେ ବ୍ୟସ୍ତ ରଖିବା ଜରୁରୀ । ଘରର ପ୍ରତ୍ୟେକ ସଦସ୍ୟ ତାଙ୍କ ସହିତ ସମୟ ବିତାଇବା ନିହାତି ଆବଶ୍ୟକ । ଦିନକୁ ଥରେ ହେଉ ପଛେ ଏକାଠି ସମସ୍ତେ ଖାଇବା, ବସିକି କିଛି କଥା ହେବା ଏବଂ ସେମାନଙ୍କ ସମସ୍ୟା କଣ ଶୁଣିବା ସହ ସମାଧାନ କରିବାକୁ ବାଟ ଦେଖାଇବା ଉଚିତ । ଏହାକରିବା ଦ୍ୱାରା ସେମାନେ ସବୁକିଛି ସେୟାର କରିବେ । ଯଦି ପିଲାଟି ଏକୁଟିଆ ରହୁଛି, ମୋବାଇଲରେ ଗେମ୍‍ ଖେଳିବା ବଦଳରେ ତାଙ୍କୁ ଭଲ ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବାକୁ କୁହନ୍ତୁ । ଏହା ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ଉନ୍ନତି ଆଣିବ ଏବଂ ଡିଜିଟାଲ ଦୁନିଆରେ ବୁଡି ରହିବେ ନାହିଁ ।

ବିଶେଷଜ୍ଞଙ୍କ ମତରେ ଆଜିକାଲି ମାତାପିତା ମାନେ ପିଲାଙ୍କୁ ଘରୁ ବାହାରକୁ ଖେଳିବାକୁ ଛାଡୁନାହାଁନ୍ତି । ଯାହା ଦ୍ୱାରା ପିଲାମାନେ ଅନ୍ୟମାନଙ୍କ ସହ ମିଶିବା କଣ ଜାଣୁନାହାଁନ୍ତି । ଏହାର ପାଶ୍ୱର୍ ପ୍ରତିକ୍ରିୟା ପିଲାଙ୍କ ଠାରେ ଦେଖିବାକୁ ମିଳୁଛି । ପିଲାମାନେ ସୋସିଆଲ ମିଡ଼ିଆରେ ଯୋଗାଯୋଗ ଆରମ୍ଭ କରୁଛନ୍ତି । ଏଭଳି ପରିସ୍ଥିତିରେ ପିଲା ମାନେ ନିଜ ନିଜ ମଧ୍ୟରେ କିପରି ମିଶିବେ ସେଭଳି ପରିସ୍ଥିତି ସମାଜର ଲୋକମାନେ ପ୍ରସ୍ତୁତ କରିବା ଜରୁରୀ । ପିଲାମାନେ ବାହାରେ ଖେଳିଲେ କ୍ଲାନ୍ତ ହେବେ, ଫଳରେ ଠିକ ସମୟରେ ଖାଇବେ ଠିକ୍‍ ସମୟରେ ଶୋଇବେ । ମୋବାଇଲ ଦେଖିବା ଆବଶ୍ୟକ ହେବ ନାହିଁ ।

Get real time updates directly on you device, subscribe now.