fbpx

ରାଉରକେଲାରେ ପୁଣି ଦିଲ୍ଲୀପ-ସାରଦା ଲଢ଼େଇ: ମୋଦୀ ଫ୍ୟାକ୍ଟର ଓ ନବୀନ ଯୋଜନାକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ କଂଗ୍ରେସ ବାହିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଟିକେଟ ପାଇବା ପାଇଁ ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଟିକେଟ କଟିବା ପରେ କିଛି ନେତା ନିଜ ଦଳ ଛାଡ଼ି ଅନ୍ୟ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ଏଥର ବିଧାନସଭା ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଆସନ ଉପରେ ସଭିଙ୍କ ନଜର ରହିଛି । ରାଜ୍ୟର ଇସ୍ପାତ ନଗରୀ ଭାବେ ଜଣାଶୁଣା ରାଉରକେଲା ଆସନରୁ ଏଥର ବିଜେଡିରୁ ସାରଦା ନାୟକ, ବିଜେପିରୁ ଦିଲ୍ଲୀପ ରାୟ ଓ କଂଗ୍ରେସରୁ ବୀରେନ୍ଦ୍ରନାଥ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି । କଂଗ୍ରେସ ମଧ୍ୟ ମୋଦୀ ଫ୍ୟାକ୍ଟର ଓ ନବୀନ ଯୋଜନାକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି । ୧୯୬୭ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ଇତିହାସକୁ ଦେଖିଲେ ଏଠାରେ ଦଳ ଅପେକ୍ଷା ଭୋଟର ନେତାଙ୍କୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି ।

୧୯୮୫ରେ ଓ ୧୯୯୦ରେ ଏହି ଆସନରୁ ଦିଲ୍ଲୀପ ବିଜୟୀ ହୋଇଥିବା ବେଳେ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ର ବିଜୟୀ ହୋଇଥିଲେ । ଏହାପରେ ୨୦୦୦ରେ ବିଜେଡି ପ୍ରାର୍ଥୀ ଅଜିତ ଦାସ ବିଜୟୀ ହୋଇଥିଲେ । ୨୦୦୪ ଓ ୨୦୦୯ରେ ସାରଦା ବିଜେଡିରୁ ପ୍ରାର୍ଥୀ ହୋଇ କ୍ରମାଗତ ଦୁଇଥର ବିଜୟୀ ହୋଇଥିଲେ । ୨୦୧୪ରେ ସାରଦା ଓ ଦିଲ୍ଲୀପଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଶେଷରେ ଦିଲ୍ଲୀପ ବିଜୟୀ ହୋଇଥିଲେ । ୨୦୧୯ରେ ପୁଣି ସାରଦା ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏବେ ୨୦୨୪ରେ ପୁଣି ଥରେ ସାରଦା-ଦିଲ୍ଲୀପଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ।

ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାରଦାଙ୍କୁ ୬୦ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ନିହାର ରାୟଙ୍କୁ ୫୦ ହଜାରରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ୧୩ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ୫୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସାରଦାଙ୍କୁ ୪୮ ହଜାରରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ପ୍ରଭାତଙ୍କୁ ୧୦ ହଜାରରୁ ଅଧିକ ଭୋଟ ମିଳିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ଦିଲ୍ଲୀପଙ୍କର ଏକ ବଡ଼ ପ୍ରଭାବ ରହିଥିବା ବେଳେ ସାରଦା ମଧ୍ୟ ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ଜିତିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ ୨୯ ବର୍ଷ ପରେ ପୁଣି ଥରେ କଂଗ୍ରେସ ଏହି ଗଡ଼ ଦଖଲ କରିବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.