ରୁଷ-ୟୁକ୍ରେନ ଯୁଦ୍ଧରେ ବିଗୁଡୁଛି ସ୍ଥିତି: ଜୈବିକ ଅସ୍ତ୍ର ପ୍ରୟୋଗ କରିବ ମସ୍କୋ ! ସତର୍କ କରାଇଲା ଆମୋରିକା

କିଭ୍‌: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଥମିବାର ନାଁ ନେଉନାହିଁ । ତେଣେ ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିାରେ ବୋଲି ଆମେରିକା ସତର୍କ କରାଇ ଦେଇଛି । ଯଦି ଏହି ଅସ୍ତ୍ର ପ୍ରୟୋଗ କରାଯାଏ ତେବେ ବ୍ୟାପକ ଜୀବନହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଅଧିକାଂଶ ସହରରେ ଧ୍ୱଂସଲୀଳା ଜାରି ରହିଥିବାବେଳେ ସେପଟେ ଯୁଦ୍ଧ ଟାଳିବା ପାଇଁ ପ୍ରଥମ ଥରଲାଗି ତୁର୍କୀରେ ରୁଷ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରୁ କୌଣସି ସୁଫଳ ମିଳିନଥିବା ସୂଚନା ମିଳିଛି । ତେବେ ଯୁଦ୍ଧ ବନ୍ଦ ଲାଗି ୟୁକ୍ରେନ ରୁଷକୁ ଅନୁରୋଧ କରିଥିବା ଜଣାପଡ଼ିଛି ।

ଏହି ବୈଠକରେ ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲୁଟ୍‌ କାବୁସୋଲୁ ଯୋଗ ଦେଇଥିଲେ । ଗୋଟିଏ ପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପକ୍ଷରେ ରୁଷ ସେନା ମାରିୟୁପୋଲରେ ଏୟାରଷ୍ଟ୍ରାଇକ୍‌ କରିଛନ୍ତି । ଫଳରେ ଏକ ଶିଶୁ ହସ୍ପିଟାଲ ନଷ୍ଟ ହେବା ସହ ୩ଜଣ ଶିଶୁ ପ୍ରାଣ ହରାଇଛନ୍ତି । ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ଏହାକୁ ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେନେଲସ୍କି । ସେପଟେ ରୁଷ ଅଧିକାର କରିଥିବା ଦେହାହାଚି ଓ ଖାରକିଭ୍‌କୁ ପୁଣିଥରେ ନିଜ ଦଖଲକୁ ନେଇଛି ୟୁକ୍ରେନ୍‌ । ତେବେ ଏହି ଦୁଇସହର ଚାରିପାଖକୁ ରୁଷ ସେନା ଘେରି ରହିଛନ୍ତି । ୧୦ଟି ସହରରେ ଅସ୍ଥାୟୀ ଅସ୍ତ୍ରବିରତି ଲାଗି ରୁଷକୁ ୟୁକ୍ରେନ ଅନୁରୋଧ କରିଛି । ବର୍ତ୍ତମାନ ସୁଦ୍ଧା ୧୨ହଜାରରୁ ଅଧିକ ରୁଷ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ଦାବି କରିଛି ୟୁକ୍ରେନ । ଏହାସହ ୮୧ ସାମରିକ ହେଲିକପ୍ଟର ଓ ୩୩୫ ଟ୍ୟାଙ୍କ, ୧୧୦୫ ସାମରିକ ଗାଡ଼ି, ୨୯ଟି ବିମାନ ବିଧ୍ୱଂସୀ ଅସ୍ତ୍ର, ୫୬ଟି ରକେଟ୍‌ ଲଞ୍ଚର ଓ ୬୦ଟି ଇନ୍ଧନ ଟ୍ୟାଙ୍କକୁ ଧ୍ୱଂସ କରାଯାଇଥିବା ୟୁକ୍ରେନ ଦାବି କରିଛି । ଜାତିସଂଘ ରିପୋର୍ଟରୁ ପ୍ରକାଶ ଯେ ୟୁକ୍ରେନରୁ ପୋଲାଣ୍ଡକୁ ୧୨ଲକ୍ଷ, ହଙ୍ଗେରୀକୁ ୨ ଲକ୍ଷ, ସ୍ଲୋଭାକିଆକୁ ଦେଢଲକ୍ଷ ଓ ମାଲଡୋଭାକୁ ୮୨ ହଜାର ୟୁକ୍ରେନୀୟ ପଳାୟନ କରିଛନ୍ତି ।