fbpx

ଲତା ମଙ୍ଗେସକରଙ୍କ ପରଲୋକ: ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା କାର୍ଯ୍ୟକ୍ରମ ସ୍ଥଗିତ

ଲକ୍ଷ୍ନୌ: ଭାରତ ରତ୍ନରେ ସମ୍ମାନିତ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ ରବିବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଉକ୍ତ ହସ୍ପିଟାଲରେ ସେ ପ୍ରାୟ ମାସେ ଧରି ଚିକିତ୍ସିତ ଥିଲେ। ତାଙ୍କ ନିଧନରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଛି। ରାଜନୈତିକ କ୍ଷେତ୍ରଠୁ ନେଇ କ୍ରୀଡାଜଗତ ସମସ୍ତେ ଲତାଙ୍କ ପରଲୋକରେ ମ୍ରିୟମାଣ। ଲତାଙ୍କ ଦେହାନ୍ତରେ ଦୁଇ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଲତାଙ୍କ ନିଧନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ବିଜେପି) ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପାର୍ଟିର ନିର୍ବାଚନୀ ଇସ୍ତାହାର ଘୋଷଣାକୁ ସ୍ଥଗିତ ରଖିଛି। ବିଜେପି ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ସ୍ଵତନ୍ତ୍ରଦେବ ସିଂହ ଏଠାରେ ପାର୍ଟି କାର୍ଯ୍ୟାଳୟରେ ଏହାର ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରୀ ଅମିତ୍ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ସଂକଳ୍ପ ପତ୍ର ବା ନିର୍ବାଚନୀ ଇସ୍ତାହାର ଜାରି କରିବାର ଥିଲା।

ସ୍ଵତନ୍ତ୍ରଦେବ ସିଂହ କହିଛନ୍ତି, ଲତା ମଙ୍ଗେସକରଙ୍କ ନିଧନ କାରଣରୁ ନିର୍ବାଚନୀ ଇସ୍ତାହାର ଘୋଷଣା କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। ଏଥିପାଇଁ ପୁନର୍ବାର କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ। ସେ ସ୍ପଷ୍ଟ କରିଛନ୍ତି ଯେ, ପାର୍ଟିର ଅନ୍ୟ ରାଜନୈତିକ କାର୍ଯ୍ୟକ୍ରମ ଯଥାସ୍ଥିତି ଜାରି ରହିବ। ଏହି ସମୟରେ ଗୃହ ମନ୍ତ୍ରୀ ଅମିତ୍ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର‌୍ୟ୍ୟ ଉପସ୍ଥିତ ଥିଲେ। ସମସ୍ତେ ଦୁଇ ମିନିଟ୍ ନିରବ ରହି ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

Get real time updates directly on you device, subscribe now.