fbpx

‘ଆପ୍ ଭାଙ୍ଗି ବିଜେପିକୁ ଚାଲି ଆସ, ସିବିଆଇ-ଇଡି କେସ୍ ବନ୍ଦ କରାଇଦେବୁ’, ସିସୋଦିଆଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ: ଅବକାରୀ ନୀତିରେ ଦୁର୍ନୀତିକୁ ନେଇ ସିବିଆଇ ସ୍କାନରରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କ ବିରୋଧରେ ସିବିଆଇ ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି କରି ସାରିଛି। ଏହା ମଧ୍ୟରେ ମନୀଷ ସିସୋଦିଆ ବିଜେପି ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ବିଜେପି ତାଙ୍କୁ ଅଫର ଦେଉଥିବା କହିଛନ୍ତି ସିସୋଦିଆ। ଆମ୍ ଆଦମୀ ପାର୍ଟି ଭାଙ୍ଗି ଦେଲେ ସିବିଆଇ ଏବଂ ଇଡି ସମସ୍ତ କେସ୍ ବନ୍ଦ କରି ଦେବ ବୋଲି ବିଜେପି ଅଫର ଦେଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାକୁ ନେଇ ସେ ଟୁଇଟ୍ କରିଛନ୍ତି। ସିସୋଦିଆ ଲେଖିଛନ୍ତି, ମୋ ନିକଟକୁ ବିଜେପିର ସନ୍ଦେଶ ଆସିଛି- ଆପ୍ ଭାଙ୍ଗି ବିଜେପିରେ ମିଶିଯାଅ, ସମସ୍ତ ସିବିଆଇ ଏବଂ ଇଡି କେସ୍ ବନ୍ଦ କରାଇ ଦେବୁ। ମୋର ବିଜେପିକୁ ଜବାବ- ମୁଁ ମହାରାଣା ପ୍ରତାପଙ୍କ ବଂଶଜ, ରାଜପୁତ ଅଟେ। ମୁଣ୍ଡ କଟିଯିବ ହେଲେ ଦୁର୍ନୀତିଗ୍ରସ୍ତ ଏବଂ ଷଡଯନ୍ତ୍ରକାରୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବି ନାହିଁ। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ। ମୋ ବିରୋଧରେ ଯାହା କରିବା କଥା କରନ୍ତୁ।

ମନୀଷ ସିସୋଦିଆ ଗୁଜରାଟ ଗସ୍ତରେ ଯିବାର ଠିକ୍ ପୂର୍ବରୁ ଏମିତି ଚାଞ୍ଚଲ୍ୟକର ଦାବି କରିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ମନୀଷ ସିସୋଦିଆ ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଉଛନ୍ତି। ସିସୋଦିଆ ଏହା ପୂର୍ବରୁ ଟୁଇଟ୍ କରିଥିଲେ, କେଜ୍ରିଓ୍ଵାଲଙ୍କ ସହିତ ଦୁଇ ଦିନିଆ ଗୁଜରାଟ ଗସ୍ତରୁ ଯାଉଛି। ଗୁଜରାଟ ଜନତା କେଜ୍ରିଓ୍ଵାଲଙ୍କୁ ସୁଯୋଗ ଦେବାକୁ ଚାହାନ୍ତି। ବିଜେପି ୨୭ ବର୍ଷରୁ ଗୁଜରାଟରେ ଶିକ୍ଷା ସ୍ଵାସ୍ଥ୍ୟ ବ୍ୟବସ୍ଥା ପାଇଁ ଆଖିଦୃଶିଆ କିଛି କରି ନାହିଁ। ଏବେ ଆମେ କରିକି ଦେଖାଇବୁ।

ଅନ୍ୟପଟେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମୁସ୍କିଲ ଲଗାତାର ବଢିବାରେ ଲାଗିଛି। ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ସିବିଆଇ ଲୁକଆଉଟ୍ ନୋଟିସ୍ ଜାରି କରିଛି। ଲୁକଆଉଟ୍ ନୋଟିସକୁ ନେଇ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ମୁଁ ଦିଲ୍ଲୀରେ ଖୋଲା ଆକାଶ ତଳେ ଆରାମରେ ବୁଲୁଛି। ଆପଣ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବାକୁ ପ୍ରସ୍ତୁତ। ଏମିତି ଡ୍ରାମା ମୋଦୀ ଜୀ କାହିଁକି କରୁଛନ୍ତି ? ଜଣାନ୍ତୁ ମୋତେ କେଉଁଠି କି ଯିବାର ଅଛି ବୋଲି ସିସୋଦିଆ କହିଥିଲେ।

Get real time updates directly on you device, subscribe now.