fbpx

ଆଜିଠୁ ଲୋକଙ୍କୁ ମିଳିବ BSKY ନବୀନ କାର୍ଡ, ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକମାନଙ୍କୁ ଆଜିଠାରୁ ମିଳିବ ବିଏସକେୱାଇ ନବୀନ କାର୍ଡ। ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ସମ୍ବଲପୁରରେ କାର୍ଡ ବଣ୍ଟାଯିବ। କାର୍ଡପାଇଁ ୪ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରିଛନ୍ତି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପାଇବା ପାଇଁ ଲୋକେ ଆବେଦନ କରିଛନ୍ତି । ଏହି ଆବେଦନର ଶେଷ ତାରିଖ ଜାନୁଆରୀ ୧୬ ରଖାଯାଇଥିଲା । କିନ୍ତୁ କିଛି ଲୋକ ଆବେଦନ ନ କରିଥିବାରୁ ରାଜ୍ୟ ସରକାର ପୁଣି ଆବେଦନର ଅବଧିକୁ ବଢାଇ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ କରିଥିଲେ । ତେବେ ଗଞ୍ଜାମ ଜିଲ୍ଲାର ଲୋକେ ସର୍ବାଧିକ ଆବେଦନ କରିଛନ୍ତି ବୋଲି ସୂଚନା ରହିଛି ।

ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଏହି କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ସମସ୍ତ ପରିବାରଗୁଡ଼ିକ ଘରୋଇ ହସ୍ପିଟାଲରେ ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସାର ସୁବିଧା ପାଇବେ । କେବଳ ନିୟମିତ ସରକାରୀ କର୍ମଚାରୀ ବା ସ୍ଥାୟୀ ଚାକିରିଆ(ପେନସନଧାରୀଙ୍କୁ ମିଶାଇ) ଓ ଟିକସଦାତାଙ୍କୁ ବାଦ ଦେବାପରେ ଗ୍ରାମାଞ୍ଚଳରେ ରହୁଥିବା ସବୁ ପରିବାର ଏହି କାର୍ଡର ସୁବିଧା ପାଇପାରିବେ । ସେହିପରି ଯେଉଁମାନେ ପୂର୍ବରୁ ବିଏସକେୱାଇ କାର୍ଡ ପାଇଛନ୍ତି ସେମାନଙ୍କୁ ଆବେଦନର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

ବିଏସକେୱାଇ ନବୀନ କାର୍ଡରେ ହୃଦରୋଗ, କିଡନୀ, ଯକୃତ, ବ୍ରେନ ଷ୍ଟ୍ରୋକ, ଗୁରୁତର ମୁଣ୍ଡ ଆଘାତ, ବ୍ରେନ୍ ଟ୍ୟୁମର, ପୋଡ଼ିଯିବା, ସ୍ନାୟୁବିକ ରୋଗ ଓ କ୍ୟାନସର ଭଳି ୯ଟି ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସା ସୁବିଧା ଉଭୟ ରାଜ୍ୟ ଭିତରେ ଓ ବାହାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମିଳିପାରିବ।

 

Get real time updates directly on you device, subscribe now.