୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମିଳିଲା ମଞ୍ଜୁରୀ, ଆସନ୍ତା ୨୨ରେ ଉପସ୍ଥାପିତ ହେବ ବିଧାନସଭାରେ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ମନ୍ତ୍ରୀପରିଷଦ ବୈଠକରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟକୁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ପୂର୍ବବର୍ଷ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ରହିଥିଲା । ଆସନ୍ତା ୨୨ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି । ଏହି ବୈଠକ ରେ ୨୭ ପ୍ରସ୍ତାବ ରେ କ୍ୟାବିନେଟ ମୋହର ଲାଗିଛି ।

ସୂଚନା ଅନୁଯାୟୀ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର କାଲୁଙ୍ଗାରେ ୬୭ କୋଟି ବ୍ୟୟରେ ଆଇରନ ପାଉଡର ପ୍ଲାଣ୍ଟ ନିର୍ମାଣ କରାଯିବ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଓରିକନ ପକ୍ଷରୁ ୧୨୦ କୋଟି ବ୍ୟୟରେ ଖାଦ୍ୟ ପାନୀୟ ପ୍ରକଳ୍ପ, ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ୬୭ କୋଟି ବ୍ୟୟରେ ସୋଲାର ପ୍ୟାନେଲ କାରଖାନା, ଟାଙ୍ଗୀ-ଚୌଦ୍ୱାରରେ ୧୧୦ କୋଟି ବ୍ୟୟରେ ଲଜିଷ୍ଟିକ ପାର୍କ, ପୁରୀ କୃଷ୍ଣପ୍ରସାଦରେ ୪୬୦ କୋଟି ବ୍ୟୟରେ ହେଭି ବିଚ୍ ସ୍ୟାଣ୍ଡ ପ୍ରକଳ୍ପ, ପୁରୀରେ ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ୧୩୫ କୋଟି ବ୍ୟୟରେ ୫ ଷ୍ଟାର ହୋଟେଲ, ପୁରୀରେ ସ୍ୱସ୍ତି ପକ୍ଷରୁ ୧୩୪ କୋଟି ବ୍ୟୟରେ ପଞ୍ଚତାରକା ରିସର୍ଟ, ଭୁବନେଶ୍ୱରରେ ଇଡେନ ରକ୍ ପକ୍ଷରୁ ୧୧୭ କୋଟି ବ୍ୟୟରେ ୪ଷ୍ଟାର ହୋଟେଲ ନିର୍ମାଣ କରାଯିବ । ମୋଟ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯିବା ସହ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।