fbpx

ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କ ସରିଲା ରିମାଣ୍ଡ, ମିଳିଲାନି ଚିପ୍‌ର ପତ୍ତା

ମୃତ୍ୟୁ ପର୍ଯ୍ୟନ୍ତ ମାନସ ପାଖରେ ଚିପ୍ ଥିବା କ୍ରାଇମବ୍ରାଞ୍ଚର ସୂଚନା

କଟକ/ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତିଦିନ କ୍ରାଇମବ୍ରାଞ୍ଚ ନୂଆ ନୂଆ ତଥ୍ୟ ସାମନାକୁ ଆଣୁଛି । ୩ ଦିନିଆ ରିମାଣ୍ଡରେ ଥିବା ହତ୍ୟାଘଟଣାର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଓ ତା ସହଯୋଗୀ ଝୁନା ଭୋଇ କ୍ରାଇମବ୍ରାଞ୍ଚକୁ ରିମାଣ୍ଡର ଶେଷ ଦିନରେ ହତ୍ୟା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ଯେ ଗତ ଜାନୁଆରୀ ୧୦ ତାରିଖ ପରଠାରୁ ମାନସ ଦୟାଲ ଆଶ୍ରମରେ ରହିଆସୁଥିଲେ । ଜାନୁଆରୀ ୩୦ରେ ଶର୍ମିଷ୍ଠା ଓ ନିରଞ୍ଜନ ମାନସକୁ ସମ୍ପୂର୍ଣ୍ଣ ଅଫିସକୁ ଡାକିଥିଲେ । ସେଠାରେ ଚିପ୍ ମାଗିବା ସହ ମାଡ଼ ମଧ୍ୟ ମାରିଥିଲେ । ପରେ ତାକୁ ସମ୍ପୂର୍ଣ୍ଣ ଅଫିସରୁ ଦୟାଲ ଆଶ୍ରମକୁ ନେଇଥିଲେ । ଦୟାଲ ଆଶ୍ରମରେ ଶର୍ମିଷ୍ଠା ଓ ନିରଞ୍ଜନ ମାନସଙ୍କ କ୍ୟାମେରା ତାଙ୍କଠାରୁ ଛଡ଼ାଇନେବା ସହ ମାଡ଼ ମଧ୍ୟ ମାରିଥିଲେ । ଏହି ଘଟଣାର ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ରହିଥିଲେ । ତେବେ ମାନସଙ୍କ ନିକଟରେ ଥିବା ରହସ୍ୟମୟ ଚିପ୍ ଫେରାଇବା ପାଇଁ ଶର୍ମିଷ୍ଠା ଓ ନିରଞ୍ଜନ ତାଙ୍କ ଉପରେ ଚାପ ପକାଇଥିଲେ । ତେବେ ମାନସ ୧୦ ହଜାର ଟଙ୍କା ସହ ତାଙ୍କ କ୍ୟାମେରା ଫେରାଇବାର ଦାବି ରଖିଥିଲେ ।

ଏହାପରେ ଫେବୃଆରୀ ୫ ତାରିଖରେ ମାନସ ଚାନ୍ଦବାଲିର ପଳାସପୁରକୁ ଏକ ବାହାଘରର ଭିଡିଓ ସୁଟ୍‌ କରିବାପାଇଁ ଯାଇଥିଲେ । ସେଠାରୁ ସେ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବାବେଳେ ଚାନ୍ଦବାଲି ଭଦ୍ରକ ରାସ୍ତାରୁ ତାଙ୍କୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅପହରଣ କରି ଭୁବନେଶ୍ୱରସ୍ଥ ଦୟାଲ ଆଶ୍ରମକୁ ଆଣିଥିଲେ । ସେଠାରେ ପ୍ରଚୁର ମାଡ଼ ମାରିବା ସହ ତାଙ୍କୁ ହତ୍ୟା କରିଥିଲେ । ପରେ ତାଙ୍କ ମୃତ ଦେହକୁ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ ।

କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ, ତଦନ୍ତରୁ ସ୍ପଷ୍ଟ ହୋଇଛି ଚିପ୍‌ଟି ଶେଷ ପର୍ଯ୍ୟନ୍ତ ମାନସଙ୍କ ନିକଟରେ ରହିଥିଲା । ଏନେଇ ମାନସ ରହୁଥିବା ଭୁବନେଶ୍ୱରସ୍ଥ ଭଡ଼ାଘର ଓ ତାଙ୍କ ରଣପୁର ପୈତୃକ ଘରେ ଯାଞ୍ଚ କରାଯାଇଥିଲେ ମଧ୍ୟ ଚି୍‌ର କୌଣସି ପତ୍ତା ମିଳିନାହିଁ । ତେବେ ଏହି ଚି୍‌ଟି ଏବେ କେଉଁଠି ସେନେଇ କୌଣସି ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିବାରେ ସମର୍ଥ ହୋଇପାରିନାହିଁ । ବୁଧବାର ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଶେଷ ହୋଇଥିବାବେଳେ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.