fbpx

ମାନସକୁ ଖାଇବାକୁ ନ ଦେଇ ପିଟିିପିଟି କରିଥିଲେ ବିଭତ୍ସ ହତ୍ୟା, ପୋଲିସକୁ ରିମାଣ୍ଡ ସମୟରେ ବାଟବଣା ପାଇଁ ଯୋଜନା କରିଥିଲା ଶର୍ମିଷ୍ଠା

କଟକ,(ଭାସ୍କର ନ୍ୟୁଜ୍‌) : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଉପରେ ନ୍ୟସ୍ତ ରହିଛି । କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରାଜ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରଖିଛି । ତେବେ ରିମାଣ୍ଡର ଦ୍ୱିତୀୟ ଦିନରେ ଶର୍ମିଷ୍ଠା ଯେଉଁ ତଥ୍ୟ ଦେଇଛନ୍ତି ତାହା ପୋଲିସକୁ ଭୁତାଇବା ପାଇଁ ଉଦ୍ଦିଷ୍ଟ ଥିଲାବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ମାନସକୁ ହତ୍ୟା କରାଯିବା ପରେ ଶର୍ମିଷ୍ଠା ପୋଲିସକୁ ବାଟବଣା କରିବା ପାଇଁ ନିଜ ଫ୍ଲାଟ୍‌ରେ ମୋବାଇଲ୍‌ ଛାଡ଼ି ପଳାଇଯାଇଥିଲା । ପରେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ୩ଟି ନୂଆ ସିମ୍‌ କିଣିଥିଲା । ଗୋଟିଏ ସିମ୍‌ ଅଗରପଡ଼ାରୁ କିଣିଥିବା ବେଳେ ଅନ୍ୟ ୨ଟି କୋଲକତାରୁ କିଣିଥିବାର ସୂଚନା ଦେଇଛି । ଫେବୃୟାରୀ ୭ ତାରିଖରେ ଶର୍ମିଷ୍ଠା ଝୁନାକୁ ଧରି ତା’ର ଶାଶୂଘର ଯାଜପୁର ଜିଲ୍ଲା କାଳିଆପାଣିକୁ ଯାଇଥିଲା । ସେଠାରେ ୩ ଦିନ ରହିବା ପରେ ଶାଶୂ ସହ ନଣନ୍ଦ ଘରକୁ ଯାଇ ୩ ଦିନ ରହିଥିଲା । ସେଠାରୁ ସେ ସିଧା କୋଲକତା ଯାଇ ନଦିଆ ଓ ମାୟାପୁରୀରେ କିଛି ଦିନ ବିତାଇବା ପରେ ପୋଲିସ ଭୟରେ ଜଳପାଇଗୁଡ଼ି ଚାଲିଯାଇଥିଲା । ସେଠାରୁ ପୁଣି କୋଲକତା ଫେରିଥିଲା । ହେଲେ ପଇସା ସରିଯିବାରୁ ସେ ଓଡ଼ିଶା ଫେରିବ ବୋଲି କୋଲକତା ଛାଡ଼ିଥିଲା । ତେବେ ଭଦ୍ରକ ନଳାଙ୍ଗ ନିକଟରୁ ତାକୁ ଓ ସହଯୋଗୀ ଝୁନାକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା ।

ଅନ୍ୟପଟେ ମୃତ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି । ସେମାନେ ତାକୁ ଦୟାଲ ଆଶ୍ରମ ଆଣିବା ପରେ ଉପାସରେ ରଖି କଠିନ ଅସ୍ତ୍ରରେ ପିଟିଥିଲେ । ଫଳରେ ମାନସଙ୍କ ପଞ୍ଜରାହାଡ଼ ଭାଙ୍ଗିଯିବା ସହ ମେରୁହାଡ଼ ମଧ୍ୟ ଭାଙ୍ଗିଯାଇଥିଲା । ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିଲା । ତେବେ ପ୍ରବଳ ରକ୍ତସ୍ରାବ ହେବାରୁ ତା’ର ମୃତ୍ୟୁ ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।

Get real time updates directly on you device, subscribe now.