ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଚିପ୍ ସଙ୍କଟ, ଦୁନିଆରେ ଠପ୍‌ ହୋଇଯିବ ମୋବାଇଲ୍‌ ଓ କାର ଉତ୍ପାଦନ

ନୂଆଦିଲ୍ଲୀ : ବିଗତ କିଛି ବର୍ଷ ବିଶ୍ୱ ଚି୍‌ପ୍‌ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଋଷ-ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ପାଇଁ ଏହି ଚି୍‌ପ ସଙ୍କଟ ଆହୁରି ସାଂଘାତି ସ୍ଥିତି ଆଡ଼କୁ ଗତି କରୁଛି । ଏକ ରିପୋର୍ଟ ମୁତାବକ, ସମଗ୍ର ଦୁନିଆରେ ପେଲୋଡିୟମ ଯୋଗାଣରେ ୪୪ ପ୍ରତିଶତ ଭାଗିଦାରୀ ଋଷ ହାତରେ ରହିଛି । ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ । କୌଣସି ବି ଚି୍‌ପ ତିଆରି ପାଇଁ ଦୁଇଟି ଜିନିଷର ଅତି ଆବଶ୍ୟକ ରହିଛି ।

ୟୁକ୍ରେନ ଏବଂ ୠୁଷ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏଥିରୁ ସ୍ପଷ୍ଟ ଯେ, ଆଗାମୀ ଦିନରେ ଚି୍‌ପ୍ ସଙ୍କଟର ପ୍ରଭାବ ସମଗ୍ର ଦୁନିଆରେ ଦେଖିବାକୁ ମିଳିପାରେ । କରୋନା ମହାମାରୀ ପରେ ଦୁନିଆରେ ଯେଉଁ ସଙ୍କଟ ଦେଖା ଦେଇଥିଲା, ତାହା ଠାରୁ ୟୁକ୍ରେନ ସଙ୍କଟ ଆହୁରି ସାଂଘାତିକ ସ୍ଥିତି ଆଡ଼କୁ ନେଇଯାଇପାରେ । ପେଲୋଡିୟମ ଏବଂ ନିଅନ ଏମିତି ଦୁଇଟି ଜିନିଷ ଯାହା କୌଣସି ଚି୍‌ପ୍ ଅର୍ଥାତ ସେମି କଣ୍ଡକ୍ଟର ନିର୍ମାଣରେ ବ୍ୟବହାର ହୋଇଥାଏ । ଏହି ସେମି କଣ୍ଡକ୍ଟର କୌଣସି ବି ଇଲେକ୍ଟ୍ରିକ ଉପକରଣ ଯେମିତି କି କାର, ମୋବାଇଲ ଏବଂ ଅନ୍ୟ ଉତ୍ପାଦନରେ ଲାଗିଥାଏ । ଏହା ବିନା ବୈଦ୍ୟୁତିକ ଉପକରଣ ଚାଲିବା ବହୁତ ମୁସ୍କିଲ । ସେମି କଣ୍ଡକ୍ଟର ବିନା କାରଠୁ ନେଇ ମୋବାଇଲ ସବୁ ବେକାର ।