ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଛାତ୍ରଛାତ୍ରୀ ସେଣ୍ଟରକୁ ନେଇପାରିବେନି ଏହି ଜିନିଷ
ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା।
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଦଶମ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।ସେହିପରି ଦ୍ୱାଦଶ ପିଲାଙ୍କ ପରୀକ୍ଷା ଆଜିଠାରୁ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ନେଇ ସିବିଏସଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ରହିଛି।
42 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା : ମୋଟ 24,12,072 ପିଲା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ 84 ଟି ବିଷୟ ପାଇଁ ପରୀକ୍ଷା ଦେବେ। ସେହିପରି 17,88,165 ଜଣ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ 120 ଟି ବିଷୟ ପାଇଁ ପରୀକ୍ଷା ଦେବେ। ଏହି ପରୀକ୍ଷା ପାଇଁ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 42,00,237, ଯାହା ଗତ ବର୍ଷର ମୋଟ 38,85,542 ତୁଳନାରେ 3,14,695 ଅଧିକ।
ସିବିଏସ୍ଇ ଅଧିକାରୀଙ୍କ ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ସକାଳ 10 ଟା ପରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଏବଂ ପରୀକ୍ଷା ଶେଷ ହେବା ପରେ ଦ୍ବିପ୍ରହର 1:30 ପୂର୍ବରୁ ବାହାରକୁ ଯିବାକୁ ଦିଆଯିବ ନାହିଁ।
ପରୀକ୍ଷା ହଲକୁ ଏହି ଜିନିଷ ମନା: ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ ଡିଭାଇସ୍, ଇୟରଫୋନ୍, ମାଇକ୍ରୋଫୋନ୍, ସ୍ମାର୍ଟ ୱାଚ୍, ୱାଲେଟ୍, ଗଗଲ୍ସ, ହ୍ୟାଣ୍ଡବ୍ୟାଗ୍ ଏବଂ ପାଉଚ ଭଳି ଜିନିଷଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭିତରେ ଅନୁମତି ଦିଆଯିବ ନାହିଁ।
ପିଲାଙ୍କୁ ଜଗିବ ସିସିଟିଭି: ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ, ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ। ସହକାରୀ ଅଧୀକ୍ଷକ ପରୀକ୍ଷା କେନ୍ଦ୍ରରେ ଥିବା ପ୍ରତ୍ୟେକ 10 ଟି କୋଠରୀର ସିସିଟିଭି ଫୁଟେଜ୍ ଉପରେ ନଜର ରଖିବେ।