ଗୁକେଶଙ୍କୁ ମିଳିଲା ବଡ଼ ଉପହାର: ୪.୬୭ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ ଗୁକେଶ ୱାର୍ଲ୍ଡ ଚେସ ଚାମ୍ପିୟନଶିପ ଟାଇଟଲ ଜିତି ସ୍ୱଦେଶ ଫେରିଥିଲେ । ଚାମ୍ପିୟନ ହେବା ପରେ ଗୁକେଶଙ୍କୁ ୧.୩ ମିଲିୟନ ଡଲାର ବା ପାଖାପାଖି ୧୧ କୋଟି ଟଙ୍କାର ପୁରସ୍କାର ରାଶି ପାଇଥିଲେ । ମାତ୍ର ୧୮ ବର୍ଷ ବୟସରେ ଗୁକେଶ ଏହି ସଫଳତା ହାସଲ କରିବା ସହ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଏହି କୃତିତ୍ୱ ହାସଲ କରିଥିଲେ । ଏହି ସଫଳତା ପରେ ଗୁକେଶଙ୍କ ନିକଟକୁ ପୁରସ୍କାରର ସୁଅ ଛୁଟିବାରେ ଲାଗିଥିଲା ।

ତେବେ ଗୁକେଶଙ୍କୁ ମିଳିଥିବା ପ୍ରାଇଜ୍ ମନି ଉପରେ ତାଙ୍କୁ ଏକ ମୋଟା ଅଙ୍କର ଟ୍ୟାକ୍ସ ଭରଣା କରିବାର ଥିଲା । ଗୁକେଶ ପାଖାପାଖି ୪.୬୭ କୋଟି ଟଙ୍କାର ଟ୍ୟାକ୍ସ ଭରିଥାନ୍ତେ । ମାତ୍ର କେନ୍ଦ୍ର ସରକାର ଏହି ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟରଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ଏହି ଐତିହାସିକ ବିଜୟ ଖୁସିରେ କେନ୍ଦ୍ର ସରକାର ଗୁକେଶଙ୍କର ୪.୬୭ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ କରିଦେଇଛନ୍ତି । ଯଦି ଗୁକେଶ ସେହି ଟ୍ୟାକ୍ସ ଭରିଥାନ୍ତେ, ତେବେ ତାଙ୍କ ପାଖରେ ମାତ୍ର ୬.୪୪ କୋଟି ଟଙ୍କା ରହିଥାନ୍ତା । ମାତ୍ର କେନ୍ଦ୍ର ସରକାର ତାଙ୍କୁ ଆଶ୍ୱସ୍ତି ଦେବା ପରେ ସେ ଖୁସି ଜାହିର କରିବା ସହ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।