ଟ୍ରଫି ନେଇ ଫେରିଲେ ଚାମ୍ପିଅନ୍ ଓଡ଼ିଶା ଟିମ୍, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଭୁବନେଶ୍ୱର ଫେରିଲେ ଜାତୀୟ ହକି ଚାମ୍ପିଅନ୍ ଓଡିଶା ଟିମ୍ । ବିମାନବନ୍ଦରରେ ଟିମର ଭବ୍ୟ ସ୍ୱାଗତ କରାଯାଇଛି । ଗତକାଲି ଜାତୀୟ ସିନିୟର ପୁରୁଷ ହକିରେ ଟିମ୍ ଚାମ୍ପିଅନ୍ ହୋଇଥିଲା । ଅଭିଜ୍ଞ ଖେଳାଳି ଶିଳାନନ୍ଦ ଲାକ୍ରାଙ୍କ ହ୍ୟାଟ୍ରିକ୍ ଗୋଲ୍‌ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶାର ବିଜୟ ହୋଇଥିଲା। ପ୍ରଥମ କ୍ଵାର୍ଟରରେ ରଜତ ଆକାଶ ତିର୍କୀ ୧୧ ମିନିଟ୍‌ରେ ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ହେବାରୁ ମ୍ୟାଚ୍‌ ଅଧା ବେଳକୁ ଓଡ଼ିଶା ୧-୦ରେ ଆଗୁଆ ଥିଲା। ତୃତୀୟ କ୍ଵାର୍ଟରରେ ପ୍ରତାପ ଲାକ୍ରା (୩୯ ମିନିଟ୍‌) ପେନାଲ୍‌ଟି ଷ୍ଟ୍ରୋକ୍‌ ଜରିଆରେ ଦ୍ୱିତୀୟ ଗୋଲ୍‌ ଦେଇଥିଲା ବେଳେ ଚତୁର୍ଥ କ୍ଵାର୍ଟରର ୪୮ ମିନିଟ୍‌ରେ ଶିଳାନନ୍ଦ ଲାକ୍ରା ଓଡ଼ିଶା ପାଇଁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ତେବେ ଖେଳ ‌ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ଯୋଗୀନ୍ଦର ସିଂହ ପେନାଲ୍‌ଟି କର୍ଣ୍ଣରରୁ ଗୋଟିଏ ଗୋଲ୍‌ ‌ଶୁଝିବାକୁ ସମର୍ଥ ହୋଇଥିଲେ। କିନ୍ତୁ ବହୁ ବିଳମ୍ବ ହୋଇସାରିଥିଲା। ୫୭ ଓ ୬୦ ମିନିଟରେ ଶିଳାନନ୍ଦଙ୍କ ଲଗାତାର ଗୋଲ୍‌ ଭାରତକୁ ୫-୧ରେ ଜିତାଇଥିଲା। ହରିୟାଣା ଏହି ମ୍ୟାଚ୍‌ରେ ୧୦ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଗୋଟିଏକୁ ସଫଳତାର ସହ ପୋଷ୍ଟ୍‌ ଭିତରେ ପହଞ୍ଚାଇ ପାରିଥିଲା। ସ୍ବର୍ଣ୍ଣ ଜିତିବା ପରେ ଓଡ଼ିଶା ହକି ଦଳ ରବିବାର ସକାଳେ ଭୁବନେଶ୍ବରରେ ପହଞ୍ଚି‌ବ।ଓଡ଼ିଶା ଦଳର ଏହି ସଫଳତା ପରେ ରାଜ୍ୟ ଖେଳ ଦୁନିଆରେ ଖୁସିର ଲହରି ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦଳର ଏହି ସଫଳତାକୁ ଐତିହାସିକ ମାଇଲଖୁଣ୍ଟ ଦର୍ଶାଇଛନ୍ତି ଏବଂ ଏହା ଅନେକଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ‘ଏକ୍ସ’ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଦୁଇ ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ଓ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ସଫଳତାରେ ରାଜ୍ୟବାସୀ ଗର୍ବିତ ଓ ‌ଗୌରବାନ୍ଵିତ ବୋଲି ଅଭିହିତ କରିଛନ୍ତି।