fbpx

ଅବପାତର ରୂପ ନେଲା ଲଘୁଚାପ: ବାତ୍ୟା ସମ୍ଭାବନା, ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହି ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏହାପରେ ପୁଣି ଦିଗ ବଦଳାଇ ୩ ଦିନ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ତଟ ଆଡ଼କୁ ମୁହାଁଇବ। ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ। ସେତେବେଳେ ଏହା ସମୁଦ୍ର ମଧ୍ୟରେ ଥିବ ଏବଂ ପବନର ବେଗ ଘଣ୍ଟାପ୍ରତି ୮୦ କିମି ପର୍ଯ୍ୟନ୍ତ ରହିପାରେ। ୨୫ ତାରିଖ ସକାଳ କିମ୍ବା ୨୬ ତାରିଖ ସକାଳ ସମୟରେ ଏହା ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୪ ତାରିଖ ଅର୍ଥାତ୍‌ ଦଶହରାରେ ଓଡ଼ିଶା ନିକଟ ଉତ୍ତର ବଙ୍ଗୋପସାଗର ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.