fbpx

ଚାଷୀଙ୍କ ପାଇଁ ଖୁସି ଖବର : ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ମିିଳିଲା ସୁଧ ରିହାତି । ୩୫ ଲକ୍ଷ ଚାଷୀ ଏହି ରିହାତି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା ।

ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ । ସୁଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ Video Conference ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା । ବିକାଶର ଆଧାର । ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା’ମାନେ ଓ ଯୁବକଯୁବତୀମାନେ । ତେଣୁ ଆପଣମାନଙ୍କ ସଶକ୍ତୀକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି । ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ। ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନିତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ । ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ସମବାୟ ବିଭାଗ ପ୍ରମୁଖ ସଚିବ ଶ୍ରା ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଶ୍ରୀ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.