ନୂଆଦିଲ୍ଲୀ : ସୁପରପାୱାର ଆମେରିକାକୁ ପ୍ରତିଟି କ୍ଷେତ୍ରରେ ଟକ୍କର ଦେବାକୁ ଚୀନ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ଆମେରିକା ସହ ସମକକ୍ଷ ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜର ପରମାଣୁ ଶକ୍ତି କ୍ରମାଗତ ବଢାଇବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଚୀନ ନିଜ ଦେଶର ପଶ୍ଚିମରେ ସ୍ଥିତ ଏକ ମରୁଭୂମୀ ଅଞ୍ଚଳରେ ୧୦୦ରୁ ଅଧିକ ଭୂମିଗତ କ୍ଷେପଣାସ୍ତ୍ର ଆଡ୍ଡା(ସାଇଲୋ) ନିର୍ମାଣ କରୁଛି। ଯଦ୍ୱାରା କ୍ଷେପଣାସ୍ତ୍ରକୁ ସର୍ବଦା ପ୍ରସ୍ତୁତ ରଖାଯାଇ ପାରିବ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ମାଧ୍ୟମରେ ଚୀନ ନିଜର ଆଣବିକ କ୍ଷମତାକୁ ବିସ୍ତାର କରିବାକୁ ଯୋଜନା ରଖିଛି ।
ୱାଶିଂଟନ ପୋଷ୍ଟ ଅନୁଯାୟୀ, କାର୍ଲିଫର୍ଣ୍ଣିଆରେ ଜେମ୍ସ ମାର୍ଟିନ ସେଣ୍ଟର ଫର ନନପୋଲିଫରେସନ ଷ୍ଟଡିଜର ଗବେଷକଙ୍କ ଦ୍ୱାର ପ୍ରାପ୍ତ ଉପଗ୍ରହ ଛବିରୁ ଜଣା ପଡିଛି ଯେ, ଚୀନର ଗାଂସୁ ପ୍ରାନ୍ତରେ ଶତାଧିକ ବର୍ଗ ମାଇଲରେ ପରିବେଷ୍ଠିତ ମରୁଭୂମୀରେ ଅନେକ ସ୍ଥାନରେ ଭୂମିଗତ କ୍ଷେପଣାସ୍ତ୍ର ଆଡ୍ଡା ନିର୍ମାଣ କାମ ଜାରି ରଖିଛି । ଗବେଷକଙ୍କୁ ଏମିତି ୧୧୯ ନିର୍ମାଣଧୀନ ସ୍ଥଳର ସୂଚନା ମିଳିଛି, ଯେଉଁଠି ଚୀନ ନିଜର ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ଲଞ୍ଚ କରିବା ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ କରୁଛି ।
ରିପୋର୍ଟ ଅନୁଯାୟୀ, ଯଦି ୧୦୦ରୁ ଅଧିକ ନୂତନ କ୍ଷେପଣାସ୍ତ୍ର ଭୂମିଗତ ଆଡ୍ଡାର ନିର୍ମାଣ ପୂରା ହୋଇଯାଏ, ତେବେ ଏହା ଚୀନ ପାଇଁ ଐତିହାସିକ ସଫଳତା ହେବ । ଏଥିରେ ଡ୍ରାଗନର ପରମାଣୁ କ୍ଷମତା ଆହୁରି ବୃଦ୍ଧି ଘଟିବ । ରିପୋର୍ଟ ଅନୁଯାୟୀ, ଚୀନ ପାଖରେ ସଂପ୍ରତି ୨୫୦ରୁ ୩୫୦ ଆଣବିକ ହତିଆର ରହିଛି । କିନ୍ତୁ ଚୀନ ନିକଟରେ କେତେ ଆଣବିକ ଅସ୍ତ୍ର ଶସ୍ତ୍ର ରହିଛି ତାର ପ୍ରକୃତ ସୂଚନା ଜଣା ପଡିନାହିଁ ।
ଗବେଷକ ଜେଫରି ଲୁଇସଙ୍କ ଅନୁଯାୟୀ, ଯଦି ଚୀନରେ ଅନ୍ୟ ସ୍ଥାନରେ ନିର୍ମାଣଧୀନ ସାଇଲୋ ଅର୍ଥାତ ଭୂମିଗତ କ୍ଷେପଣାସ୍ତ୍ର ଆଡ୍ଡାର ସଂଖ୍ୟାକୁ ମିଶାଇ ଦିଆଯାଏ ତେବେ ଏହା ୧୪୫କୁ ବୃଦ୍ଧି ଘଟିବ । ଡ୍ରାଗନ ଏହା ଏଥିପାଇଁ କରୁଛି କାରଣ ପର୍ଯ୍ୟାପ୍ତ ସଂଖ୍ୟାରେ କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ରଖି ପାରିବ ଏବଂ ଆମେରିକା ଆକ୍ରମଣକୁ ପ୍ରତିହତ କରି ନିଜକୁ ବଞ୍ଚାଇ ପାରିବ ।