fbpx

କୋରାପୁଟ ଓ ମାଲକାନଗିରି ବର୍ଷା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟର ସ୍ଥିତି ବେହାଲ । ଜଳବନ୍ଦୀ ବହୁ ଅଞ୍ଚଳ । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଲହଡି ମାରୁଥିବା ବେଳେ କିଛି ସ୍ଥାନରେ ଘର ଭାଙ୍ଗିବା ପରି ଖବର ଆସୁଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ବର୍ଷାଜନିତ କ୍ଷୟକ୍ଷତି ଉପରେ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ ।

କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏସ୍‌ଆର୍‌ସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରାକ୍‌ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଅଭିମୁଖେ ଗସ୍ତ କରିଛନ୍ତି ।

Get real time updates directly on you device, subscribe now.