ଭୁବନେଶ୍ୱର- ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ପାଣି ପଞ୍ଚାୟତଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ ।
ଏହା ସହିତ ୬୨ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି । ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇ ପାରୁଛି ।
ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟି ରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । ଚଳିତ ବଜେଟରେ ନୟାଗଡ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ବ୍ୟକ୍ତିଗତ ଭାବେ ଏହି ସବୁ ପ୍ରକଳ୍ପକୁ ସମୀକ୍ଷା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ପାଢୀ ଉପସ୍ଥିତ ଥିଲେ ।