fbpx

ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ପ୍ରଯୁକ୍ତିବିଦ୍ୟା ଏବଂ କୋଡିଂ: ଓଡ଼ିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୌଶଳୀ ସ୍କୁଲ କ୍ଲବ୍‍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଦିଆଯିବ । ସେମାନଙ୍କୁ ଶିକ୍ଷାଦାନ କରିବା ଲାଗି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବ୍ଲକ୍‍ସ୍ତରରୁ ପ୍ରଥମ ପର୍ଯ୍ୟାୟରେ ଅଣାନବେ ଜଣ ଶିକ୍ଷକଙ୍କୁ ଭୁବନେଶ୍ୱରର ତିନୋଟି ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଉଛି ।

ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ ଓ ଜିଜ୍ଞାଶା, ଏହିପରି ପାଠ୍ୟକ୍ରମରେ ଚାରିଟି ସ୍କୁଲ କ୍ଲବ୍‍ ସୃଷ୍ଟି କରାଯାଇଛି । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକ୍‍ରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି ।

ତେବେ ଗୁରୁବାରଠାରୁ ତିନିଦିନ ଧରି ଭୁବନେଶ୍ୱରର ୩ଟି ଉଚ୍ଚ ବିଦ୍ୟାଳୟରେ- ୟୁନିଟ୍‌ ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌ ୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ୍‌ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ(ମାଷ୍ଟର ଟ୍ରେନର) ତାଲିମ ଦିଆଯାଉଛି। ବ୍ଲକ୍‌ସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଏଥିରେ ଯୋଗ ଦେଇଛନ୍ତି। ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି।

ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ସହଭାଗିତାରେ ‘ମୋ ସ୍କୁଲ’ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଛି ।

Get real time updates directly on you device, subscribe now.