କର୍ଣ୍ଣାଟକ ଗ୍ୟାରେଣ୍ଟି ସହ ଜାତି ଜନଗଣନା ନେଇ ମହାରାଷ୍ଟ୍ରରେ ଭାଗ୍ୟ ପରଖିବ କଂଗ୍ରେସ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ମହଲରେ ତେଜ ହୋଇଛି ହଲଚଲ । ମହାରାଷ୍ଟ୍ର ହାତେଇବାକୁ ସବୁ ଦଳ ପକ୍ଷରୁ ରଣନୀତି ଉପରେ ଚାଲିଛି ବିଚାର ବିମର୍ଷ । ତେବେ କଂଗ୍ରେସ ତାର ପୁରୁଣା କର୍ଣ୍ଣାାଟକ ଫର୍ମୁଲା ମହାରାଷ୍ଟ୍ରରେ ଆପ୍ଲାଇ କରିବ ବୋଲି ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ରରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ତାର ୫ ଗ୍ୟାରେଣ୍ଟି ଦୋହରାଇବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କଂଗ୍ରେସ ରାଜ୍ୟରେ ଜାତି ଜନଗଣନାକୁ ମଧ୍ୟ ଅନ୍ୟ ଗ୍ୟାରେଣ୍ଟି ସହ ଯୋଡିବା ନେଇ ଆକଳନ କରାଯାଉଛି । ଏତଦବ୍ୟତୀତ, ଘରର ମହିଳା ମୁଖିଆଙ୍କୁ ମାସିକ ନଗଦ ଅର୍ଥ, ମହିଳାଙ୍କ ପାଇଁ ନିଶୁଳ୍କ ବସ ଯାତ୍ରା, ପ୍ରତି ପରିବାରକୁ ୧୦ କେଜି ଗହମ, ୨୦୦ ୟୁନିଟ ମାଗଣା ବିଜୁଳି ଓ ବେରୋଜଗାର ଭତ୍ତା ରହିବ।

ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ପ୍ରକାଶ, କଂଗ୍ରେସର ବଡ ନେତା ମହାରାଷ୍ଟ୍ର ଘୋଷଣାପତ୍ର ପାଇଁ କର୍ଣ୍ଣାଟକ ଘୋଷଣା ପତ୍ର ଉପରେ ବିଚାର କରୁଛନ୍ତି । କଂଗ୍ରେସ ମହାରାଷ୍ଟ୍ରରେ ୨୦୨୪ର ଲୋକସଭା ନିର୍ବାଚନ ରେ ପାର୍ଟିର ସଫଳତାକୁ ଆଖିରେ ରଖି ପ୍ରସ୍ତୁତି କରୁଛି । ଯେଉଁଠି ସରଦ ପାବାରଙ୍କ ଏନସିପି ଓ ଉଦ୍ଧବଙ୍କ ଶିସେନା ଏମବିଏ ମେଣ୍ଟକୁ ୪୮ରୁ ୩୧ ସିଟ ହାସଲ ହୋଇଥିଲା ।

ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ପ୍ରଥମ ଥର ପାଇଁ ୨୦୨୨ରେ ହିମାଚଳ ପ୍ରଦେଶରେ ରଣନୀତି ପ୍ରସ୍ତୁତ କରିଥିଲା । କର୍ଣ୍ଣାଟକ ନିର୍ବାଚନ ଆଗରୁ କଂଗ୍ରେସ ପାଞ୍ଚ ଗ୍ୟାରେଣ୍ଟିର ଘୋଷଣା କରିଥିଲା, ଯାହା ୨୦୨୩ରେ ଦଳକୁ ବହୁ ଫାଇଦା ଦେଇଥିଲା । ପରେ ତେଲେଙ୍ଗାନାରେ ବି ସମାନ ପ୍ରକାରର ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ ମହାରାଷ୍ଟ୍ରର ସମସ୍ତ ୨୮୮ ସିଟରେ ୨୦ ନଭେମ୍ବରକୁ ମତଦାନ ହେବ ଓ ୨୩ ନଭେମ୍ବରକୁ ଫଳ ପ୍ରକାଶ ପାଇବ ।

 

Get real time updates directly on you device, subscribe now.