fbpx

କିଏ ହେବ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଅକ୍ଟୋବର ୧୭ରେ ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରେ ହେବ କଂଗ୍ରେସ ସଭାପତି ନିର୍ବାଚନ । ଏନେଇ ରବିବାର ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଅକ୍ଟୋବର ୧୭ ତାରିଖରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ନେତାମାନେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଅକ୍ଟୋବର ୧୯ ତାରିଖରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବା ସହ ନୂତନ ସଭାପତିଙ୍କ ନାମ ଘୋଷଣା କରାଯିବ । ତେବେ ଦଳର ଭେଟେରାନ୍‌ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ବେଶ୍‌ ଗୁରୁତ୍ୱ ବହନ କରୁଛି ।

ସୂଚନାଯୋଗ୍ୟ ଯେ, ଶ୍ରୀ ଆଜାଦ ଦଳ ସହିତ ୫ ଦଶନ୍ଧିର ସମ୍ପର୍କ ଚ୍ଛିନ୍ନ କରି ଇସ୍ତଫା ଦେବା ସହ ରାହୁଲ ଗାନ୍ଧିଙ୍କୁ ଦଳର ପରାମର୍ଶଦାତା ବ୍ୟବସ୍ଥା ଭାଙ୍ଗିବା ପାଇଁ ତୀବ୍ର ସମାଲୋଚନା କରିଥିଲେ । କପିଲ ଶିବଲ ଓ ଅଶ୍ୱିନୀ କୁମାରଙ୍କ ସମେତ ଅନେକ ହାଇପ୍ରୋଫାଇଲ ନେତା ଦଳରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ଏକ ବିରାଟ କ୍ଷତି ହୋଇଛି ।

ଅନ୍ୟପକ୍ଷରେ ଗୁଲାମନବୀଙ୍କ ଇସ୍ତଫା ପରେ ସେ ଜି-୨୩ ନେତାଙ୍କ ସହ ଏକ ବୈଠକ କରିଥିଲେ । କଂଗ୍ରେସ ନେତୃତ୍ୱକୁ ନେଇ ଅସନ୍ତୋଷ ଥିବା ବରିଷ୍ଠ ନେତାଙ୍କୁ ନେଇ ଏହି ଜି-୨୩ ଗଠନ କରାଯାଇଛି । ଏବେ ବି କଂଗ୍ରେସରେ ରହିଥିବା ଅନେକ ବରିଷ୍ଠ ନେତା ନେତୃତ୍ୱ ନେଇ ଅସନ୍ତୋଷ ଜାହିର କରୁଛନ୍ତି । ତେଣୁ ଦଳର ଏପରି ଏକ କଠିନ ପରିସ୍ଥିତି ସମୟରେ ଅକ୍ଟୋବର ୧୭ରେ ନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏକଥା ସତ ଯେ କଂଗ୍ରେସ ଏବେ ଏକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି । ଦଳରେ ଘୋର ବିଶୃଙ୍ଖଳା ଦେଖାଦେଇଛି । ଦଳୀୟ ଏକତା ଅଭାବରୁ ଦଳ ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟ ବରଣ କରୁଛି । ଏଭଳି ସ୍ଥିତିରେ ଦଳର ଜଣେ ସ୍ଥାୟୀ ସଭାପତି ନିଯୁକ୍ତି ନେଇ ବାରମ୍ବାର ଦାବି ହୋଇ ଆସୁଥିଲା ।

Get real time updates directly on you device, subscribe now.