fbpx

କଂଗ୍ରେସର Mission Gujurat : ସହର ନୁହେଁ ଏଥର ଗାଁ କୁ ଫୋକସ କରିବା ପାଇଁ ଚାଲିଛି ନୂଆ ରଣନୀତି

ନୂଆଦିଲ୍ଲୀ :ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ଅଣ ଗାନ୍ଧୀ ନେତା ମଲ୍ଲିକାର୍ଜୁନ ଖଡଗେ । କ୍ଷମତାକୁ ଆସିବା ପରଠାରୁ ଏବେ ତାଙ୍କ ନିକଟରେ ବହୁ ବଡ ବଡ ଚ୍ୟାଲେଞ୍ଜ ରହିଛି । କିପରି ଦଳ ମଧ୍ୟରେ ଥିବା କନ୍ଦଳକୁ ଦୂର କରିବେ ତାହା ସହିତ କିପରି ସଙ୍ଗଠନକୁ ମଜବୁତ ଏବଂ ଏକଜୁଟ କରାଯାଇ ପାରିବ ତାହା ଉପରେ ଫୋକସ ରହିଛି ।

ଏହାକୁ ଛାଡି ଦେଲେ ବର୍ତ୍ତମାନ ଆଉ ଏକ ବଡ ଚ୍ୟାଲେଞ୍ଜ ଯାହା ଖଡଗେଙ୍କ ସାମ୍ନାରେ ଉଭା ହୋଇଛି ତାହା ହେଉଛି ଆଗକୁ ଗୁଜୁରାଟ ଆଉ ହିମାଚଳପ୍ରଦେଶରେ ହେବାକୁ ଥିବା ନିର୍ବାଚନ । ଅକ୍ଟୋବର ୨୯ ରେ ନଭସାରୀରେ ଆଦିବାସୀମାନଙ୍କର ଏକ ସାଧାରଣ ସଭାକୁ ଖଡ଼ଗେ ସମ୍ବୋଧିତ କରିବେ।ନଭସାରୀରେ ଖଡ଼ଗେ ଙ୍କ ପ୍ରଥମ ସାଧାରଣ ସଭା ଦଳର ନିର୍ବାଚନ ରଣନୀତିର ଏକ ଅଂଶ। ଦଳ ଏଥର କ୍ଷତ୍ରିୟ, ହରିଜନ, ଆଦିବାସୀ ଏବଂ ମୁସଲମାନମାନଙ୍କ ସହ ପଟେଲଙ୍କୁ ମଧ୍ୟ ଯୋଡିଛି। କାରଣ, ଦକ୍ଷିଣ ଗୁଜରାଟରେ ଆଦିବାସୀମାନଙ୍କ ସହିତ ବହୁ ସଂଖ୍ୟକ ପଟେଲ ସମ୍ପ୍ରଦାୟ ଅଛନ୍ତି। ଏହା ସହିତ ବହୁ ସଂଖ୍ୟାରେ ଉତ୍ତର ଭାରତୀୟ ମଧ୍ୟ ଅଛନ୍ତି । ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ମେ ୧୦ ରେ ଦାହୋଦରେ ଏକ ଆଦିବାସୀ ସମାବେଶକୁ ସମ୍ବୋଧିତ କରିଛନ୍ତି।

ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଅର୍ଜୁନ ମୋଡୱାଡିଆ କହିଛନ୍ତି ଯେ ଗତ ୨୭ ବର୍ଷ ଧରି ବିଜେପି କ୍ଷମତାରେ ଅଛି। ବିଜେପି ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ଏହି ଅସନ୍ତୋଷକୁ ଭୋଟରେ ପରିଣତ କରିବାକୁ ଦଳ ଚେଷ୍ଟା କରୁଛି। ଏଥିପାଇଁ ଅକ୍ଟୋବର ୩୧ ରୁ ପାଞ୍ଚଟି ପରିବର୍ତନ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାଗୁଡିକ ସୌରାଷ୍ଟ୍ର ଏକ , ସୌରାଷ୍ଟ୍ର ଦୁଇ , ଉତ୍ତର ଗୁଜୁରାଟ, ଦକ୍ଷିଣ ଗୁଜୁରାଟ ଏବଂ କେନ୍ଦ୍ରୀୟ ଗୁଜୁରାଟକୁ ନିଆଯିବ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ଯାତ୍ରୀମାନେ ୧୭୫ ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଯିବେ।ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ କଂଗ୍ରେସ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିସାରିଛି। ନିର୍ବାଚନ ତାରିଖ ଘୋଷଣା ସହିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଦଳ ଟିକେଟ୍ ବଣ୍ଟନରେ ଦଳିତ, ଆଦିବାସୀ, ଓବିସି ଏବଂ ମୁସଲମାନମାନଙ୍କ ସହ ପଟେଲ ସମ୍ପ୍ରଦାୟକୁ ଅଗ୍ରାଧିକାର ଦେଇଛନ୍ତି। ସେମାନଙ୍କୁ କେନ୍ଦ୍ରରେ ରଖିବା ପାଇଁ ନିର୍ବାଚନ ପ୍ରଚାରର ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ସହ ପାର୍ଟି ସହର ଅପେକ୍ଷା ଗ୍ରାମାଞ୍ଚଳରେ ପ୍ରଚାର ଉପରେ ଧ୍ୟାନ ଦେବ।

ଏହାବ୍ୟତୀତରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ୨୮ ଅକ୍ଟୋବରରେ ଗୁଜରାଟରେ ପହଞ୍ଚିଛନ୍ତି। ଗେହଲୋଟ୍ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଗୁଜୁରାଟରେ ରହିବେ। ଏହା ସହ ମୁଖ୍ୟମନ୍ତ୍ରୀ ନଭସାରୀରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ। ଦଳ ଅଶୋକ ଗେହଲଟଙ୍କୁ ଗୁଜୁରାଟର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି।

Get real time updates directly on you device, subscribe now.