fbpx

ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍, ଏବେ ମୁହାଁମୁହିଁ ପଚରାଉଚରା

ମୁମ୍ବାଇ: ବ୍ୟବସାୟୀ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ଓ କିଛି ଆପ ଜରିଆରେ ଏହାର ପ୍ରସାରିତ କରିବା ମାମଲାରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଗତ ସୋମବାର ରାତିରେ ଗିରଫ କରିଛି । ରାଜଙ୍କ ପାଇଁ ସମସ୍ୟା ବଢ଼ିଯାଇଥିବା ବେଳେ ଏବେ ଶିଳ୍ପାଙ୍କ ପାଇଁ ସେ ଅହୁରି ସମସ୍ୟା ବଢ଼ାଇବାକୁ ଯାଉଛନ୍ତି । ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ । ଅଧିକ ଖୋଳତାଡ ପାଇଁ ଜୁହୁ ସ୍ଥିତ ଶିଳ୍ପାଙ୍କ ବାସଭବନରେ ପହଞ୍ଚିଛି କ୍ରାଇମ ବ୍ରାଞ୍ଚ ଟିମ୍ । ରାଜ ଓ ଶିଳ୍ପାଙ୍କୁ ଆମ୍ନା-ସାମ୍ନା ବସାଇ ପଚରାଉଚରା କରିପାରେ ମୁମ୍ବାଇ ପୋଲିସ ।

ତେବେ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଭିଡିଓ ମାମଲାରେ ଶିଳ୍ପାଙ୍କୁ ପଚରାଉଚରା ହୋଇପାରେ । କାରଣ ଶିଳ୍ପା ମଧ୍ୟ କୁନ୍ଦ୍ରାଙ୍କ ସହିତ ଭିଆନ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ଅନେ୍ଧରୀ ସ୍ଥିତ ଭିଆନ କମ୍ପାନୀରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା । ଏହି ସମୟରେ କ୍ରାଇମ ବ୍ରାଞ୍ଚ ଟିମ୍ ଅନେକ ଡାଟା ମଧ୍ୟ ଜବତ କରିଥିଲା । ଏକ ହ୍ୱାଟସ୍ ଆପ୍ ଚାଟରୁ ଜଣାପଡ଼ିଛି ଯେ, କୁନ୍ଦ୍ରା ୧୨୧ଟି ଭିଡିଓକୁ ୧୨ଲକ୍ଷ ଆମେରିକା ଡଲାରରେ ବିକ୍ରି କରିବାକୁ କଥା ହୋଇଥିଲେ । ଏହା ଏକ ଅନ୍ତର୍ଜାତୀୟ ସ୍ତରର ମାମଲା ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।

ପୋଲିସର କହିବା ମୁତାବକ, କୁନ୍ଦ୍ରାଙ୍କୁ ଗିରଫ କରିବା ପରେ ୨୧ ଜୁଲାଇରେ କିଛି ଡାଟା ଡିଲେଟ କରାଯାଇଥିଲା, ଯାହାକୁ ରିକଭର କରିବାକୁ ପ୍ରୟାସ ଚାଲିଛି । ଏହା ବ୍ୟତିତ ଯେତେ କୁନ୍ଦ୍ରାଙ୍କୁ ନୋଟିସ ପଠାଯାଇଥିଲା, ସେବେ ତାଙ୍କ ଗୁଗୁଲ ଷ୍ଟୋରରୁ ଅନେକ ଆପ୍ ହଟାଯାଇଥିଲା ।

ଅନ୍ୟପଟେ ରାଜଙ୍କ ରିମାଣ୍ଡ ଅବଧିକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ । ଏହି ସମୟରେ ତାଙ୍କ ସହଯୋଗୀ ରେୟାନ ଥାର୍ପେ ମଧ୍ୟ ପୋଲିସ ହେପାଜତରେ ରହିବେ । ରାଜ କୁନ୍ଦ୍ରାଙ୍କୁ ଆଜି ଜେଲରୁ କୋର୍ଟ ନିଆଯାଇଥିଲା, ଯେଉଁଠାରେ ପୋଲିସର ଯୁକ୍ତି ଶୁଣିବା ପରେ କୋର୍ଟ କୁନ୍ଦ୍ରାଙ୍କ ରିମାଣ୍ଡକୁ ଆଉ ୫ ଦିନ ବଢ଼ାଇଦେଇଥିଲେ । ଫେବ୍ରୁଆରୀ ୨୦୨୧ରେ ସାମ୍ନାକୁ ଆସିଥିବା ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି ।

Get real time updates directly on you device, subscribe now.