ଅସମ୍ଭବକୁ ସମ୍ଭବ କଲା SCB: ଯୋଡି ହେଲା କଟା ହାତ

କଟକ : ଅସମ୍ଭବକୁ ସମ୍ଭବ କରି ଦେଖାଇଲା SCB ମେଡିକାଲ କଲେଜ ଓ ହସ୍ପିଟାଲ । କଟା ହାତକୁ ଯୋଡାଯାଇ ପାରିଲା । ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଏହା କରାଯାଇ ପାରିଛି । ପାଖାପାଖି ୬ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ଯୁବକଙ୍କ ହାତକୁ ଯୋଡା ଯାଇ ପାରିଛି ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ସଦରଥାନା ଅନ୍ତର୍ଗତ କୁଟାପାଳ ଗ୍ରାମର ୨୩ବର୍ଷୀୟ ଯୁବକ ପ୍ରକାଶ ଦାସ ଗତ ୨୧ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ରଥଯାତ୍ରା ଦେଖିବା ପାଇଁ ଆସୁଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର କିଛି ଯୁବକ ତାଙ୍କ ଉପରେ ଆକ୍ରମଣ କରିବା ସହ ବାମପଟ ହାତଟିକୁ ହାଣି ସମ୍ପୂର୍ଣ୍ଣ ଅଲଗା କରିଦେଇଥିଲେ । ଏହାପରେ ପ୍ରକାଶଙ୍କ ପରିବାର ଲୋକେ କଟା ହାତ ଧରି କଟକ ବଡ ମେଡିକାଲରେ ପହଞ୍ଚିଥିଲେ ।

SCBର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ତାଙ୍କ ହତା ଯୋଡିବା ପାଇଁ ତୁରନ୍ତ ଅସ୍ତ୍ରୋପଚାର ଆରମ୍ଭ କରିଦେଇଥିଲେ । ରାତି ୧୨ଟାରୁ ସକାଳ ୬ଟାପର୍ଯ୍ୟନ୍ତ ଏହି ଜଟିଳ ଅସ୍ତ୍ରୋପଚାର ଚାଲୁ ରହିଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ବିଭୁତିଭୂଷଣ ନାୟକଙ୍କ ନେତୃତ୍ୱରେ ୧୦ଜଣିଆ ଡାକ୍ତରୀ ଟିମ୍ ପ୍ରକାଶଙ୍କ ପ୍ରତିଟି ଶିରାପ୍ରଶିରା ସହ ହାଡକୁ ଯୋଡିବା ପାଇଁ ସୂକ୍ଷ୍ମ ଅସ୍ତ୍ରୋପଚାର ଚଳାଇଥିଲେ । ଯାହାକି ୬ଘଣ୍ଟା ପରେ ସଫଳ ହୋଇଥିଲା ।