Baliyatra: ସନ୍ଧ୍ୟା 5ଟାକୁ ଅପେକ୍ଷା.. ଦୁଲୁକିବ ମହାନଦୀ ପଠା, ବିଦେଶୀ ପିଠା ଚାଖିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ
କଟକ: ଆଜିଠୁ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଦୁଲୁକିବ ସିଲଭର ସିଟି କଟକ । ଐତିହାସିକ ବାଲିଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଲିଯାତ୍ରାକୁ ସମସ୍ତେ ଅପେକ୍ଷା କରି ରହିଥିବା ବେଳେ ଆଜି ସେହିଦିନ ଆସି ସାରିଛି । ମିଠା ପିଠାର ଆସର ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ବାଲିଯାତ୍ରା ପଡିଆ ।
ସୂଚନା ଅନୁସାରେ, ଚଳିତ ବର୍ଷ ବାଲିଯାତ୍ରାରେ 13 ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ । କଟକ ଇନ୍ କଟକରେ ହେବ ଫିଲ୍ମ ଫେଷ୍ଟିବଲ । ତେବେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଅନେକ ପ୍ରସିଦ୍ଧିଲାଭ କରିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ତେବେ ବାଲିଯାତ୍ରା ପାଇଁ ମୋଟ 2500 ଷ୍ଟଲ ପଡିଛି । ତଳ ପଡିଆରେ 3ଟି ଗେଟ୍ କରାଯାଇଥିବା ବେଳେ ଉପର ପଡିଆରେ 4ଟି କରାଯାଇଛି । ତେବେ ବାଲିଯାତ୍ରା ସମୟରେ ଟ୍ରାଫିକ ସମସ୍ୟାକୁ ନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି ।
ତେବେ ଆଜିର ବାଲିଯାତ୍ରା ଭଜନ ସନ୍ଧ୍ୟାରୁ ଆରମ୍ଭ ହେବ । ଅନ୍ୟପଟେ ଧୂଳିକୁ ରୋକିବା ପାଇଁ କେମିକାଲ ସ୍ପ୍ରେ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କୁହାଯାଇଛି । ଯାତ୍ରାରେ 400 ଡ୍ରୋନ ବ୍ୟବହାର କରାଯିବ । ଏଥର ଡ୍ରୋନ ସୋର ମଜାନେବେ ଦର୍ଶକ । ଏଥର ବାଲିଯାତ୍ରାରେ ୩୮୫ଅସ୍ଥାୟୀ ଶୌଚାଳୟ ରହିବ । ଏଥର ଯାତ୍ରା ପଡିଆର ପ୍ରାୟ 6 ଟି ସ୍ଥାନରେ ଭିନ୍ନ ଭିନ୍ନ ଦୋଳି ଲାଗିଛି ଏବଂ ଖାଦ୍ୟପେୟ ଲାଗି ଭିନ୍ନ ଭିନ୍ନ ସେକ୍ଟରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନୋରଞ୍ଜନ ଲାଗି ଏଥର ବଲିଉଡର ନାମୀ କଳାକାର ମାନଙ୍କୁ ନେଇ ମଞ୍ଚ ପ୍ରସ୍ତୁତ ହେବ। ଲୋକ କଳା ପ୍ରଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ମଞ୍ଚର ବ୍ୟବସ୍ଥା କରାଯାଇଛି ।