fbpx

ଆସୁଛି ବାତ୍ୟା ‘ଜୱାଦ୍‌’: ଆଜି ଅବପାତରେ ପରିଣତ ହେବ ଲଘୁଚାପ, ସ୍ପଷ୍ଟ ହେବ ବାତ୍ୟାର ଗତିପଥ

୪ ତାରିଖରେ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ୍‌, ୭ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିିଂ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଥାଇଲାଣ୍ଡ ଓ ପାଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ପାଶ୍ୱବର୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଗୁରୁବାର ଲଘୁଚାପ ଅବପାତରେ ପରିଣତ ହେବ । ଏହାପରେ ଏହା କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷେ ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧ ପାଇବ । ଏହା ପ୍ରଭାବରେ ପବନ ମଧ୍ୟ ବହିବ ।

ଆଇଏମଡି ଡିଜି କହିଛନ୍ତି ଯେ ୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରିନପାରେ । ବାତ୍ୟା ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହେବ । ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ୩ ତାରିଖ ସକାଳ ଠାରୁ ୪ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୪ ତାରିଖରେ ସର୍ବାଧିକ ରହିବ । ସେଥିପାଇଁ ୪ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ,ଜଗତସିଂହପୁର ଓ ପୁରୀରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡିକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣିର୍ଂ ଜାରି କରିଛି ପାଣିାଗ ବିଭାଗ । ଏହା ବ୍ୟତୀତ ୫ ତାରିଖ ସକାଳ ଠାରୁ ୬ ତାରିଖ ସକାଳ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା, କଚ୍ଚା ରାସ୍ତା ଓ ଖର କ୍ଷତିଗ୍ରସ୍ତ ହେବା ସହ ପାଣି ଜମିବା, ଫସଲ ନଷ୍ଟ ଏବଂ ପାହାଡିଆ ଅଞ୍ଜଳରେ ଭୂସ୍ଖଳନ ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ବୁଧବାର ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେ ନ୍ୟାସନାଲ୍‌ କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ କମିଟି (ଏନ୍‌ସିଏମ୍‌ସି)ର ବାତ୍ୟା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆଇଏମ୍‌ଡ଼ି ଡିଜି କମିଟିକୁ ବାତ୍ୟା ନେଇ ବର୍ତ୍ତମାନ ଥିବା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ କଥା ହୋଇଥିଲେ । ୩ ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍‌ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍‌ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍‌ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନା ଦେବା, ଆସନ୍ନ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍‌ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଂଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ୍‌ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ପାଇଁ ଶ୍ରୀ ମହାପତ୍ର ନିର୍ଦ୍ଦେଶ ଦେଇଥିଲେ । ପାଚି ଯାଇଥିବା ଫସଲ ଏବଂ ପରିକ୍ୱ ପନିରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନ୍‌ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍‌ ଆସନ୍ତା ୪ ତାରିଖ ସୁଦ୍ଧା ଏହି ବାତ୍ୟା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବା ସମ୍ଭାବନା ରହିଛି । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ ବହିବାର ପୂର୍ବାନୁମାନ କରାଯାଇଛି ।

ଇତି ମଧ୍ୟରେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଏବଂ ଫାୟାର ସର୍ଭିସ୍‌ ଟିମ୍‌ମାନଙ୍କୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦୮ ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ ଟିମ୍‌ ଏବଂ ୨୦୦ ଫାୟାର ସର୍ଭିସ୍‌ ଟିମ୍‌ଙ୍କୁ ଆବଶ୍ୟକତା ଅନୁସାରେ ପୂର୍ବ ମୁତୟନ କରାଯିବ । ସ୍ୱତନ୍ତ୍ର ରିଲିଫ୍‌ କମିଶନଙ୍କ ତରଫରୁ ଦିଆଯାଇଥିବା ୮- ସୁତ୍ରୀ ଚେକ୍‌ ଲିଷ୍ଟ୍‌ ସହ ବନ୍ୟାବାତ୍ୟା ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି(ଏସ୍‌ଓପି) ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.