fbpx

ଆଜିଠାରୁ ‘ଡିପଥେରିଆ’ ବୁଷ୍ଟର ଡୋଜ୍‌, ସଂକ୍ରମଣ ଅଞ୍ଚଳରେ ଚାଲିଛି ସର୍ଭେଲାନ୍ସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଡିପଥେରିଆ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି । ରାୟଗଡ଼ା ପରେ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ବ୍ୟାପିବାରେ ଲାଗିଛି । ତେବେ ରାଜ୍ୟରେ ଡିପଥେରିଆ ବ୍ୟାପିବା ଏବଂ ଶିଶୁଙ୍କ ମୃତ୍ୟୁ ହେବା ପ୍ରଥମ ବୋଲି କୁହାଯାଉଛି । ଅପରପକ୍ଷରେ ଡିପଥେରିଆକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆଜିଠାରୁ (ବୁଧବାର) ରାୟଗଡ଼ା କାଶୀପୁରରେ ଦିଆଯିବ ବୁଷ୍ଟର ଡୋଜ୍ ଦିଆଯିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଆଜି ରାୟଗଡ଼ା କାଶୀପୁରରେ ୧ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ । ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ ସଂକ୍ରମଣ ଅଂଚଳରେ ସର୍ଭେଲାନ୍ସ ଚାଲିଥିବା ବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ବ୍ୟପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ । ଆଗକୁ ଗଜପତି, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ହେବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ଡିପଥେରିଆ ବାୟୁ ଦ୍ୱାରା ସଂକ୍ରମିତ ହେଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.