ବାପା ମାଆଙ୍କ ପରେ ପିଲାଙ୍କୁ ସୁଝିବାକୁ ପଡିବ କି ବ୍ୟାଙ୍କ ଋଣ, କଣ ଅଛି ନିୟମ

ବାପା ମାଆଙ୍କ ମୃତ୍ୟୁ ପରେ କୌଣସି ବ୍ୟାଙ୍କ ଲୋନ ବାକିଥିଲେ ପିଲାଙ୍କୁ ସେହି ଲୋନ ସୁଝିବାକୁ ପଡେ କି, ଜାଣନ୍ତୁ କଣ ରହିଛି ନିୟମ

ଓଡିଶା ଭାସ୍କର: ବାପା ମାଆଙ୍କ ମୃତ୍ୟୁ ପରେ ମାନସିକ କଷ୍ଟ ସହିତ ପରିବାରକୁ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ବିଶେଷକରି ଯଦି କୌଣସି ଲୋନ ବାକି ଥାଏ। କିନ୍ତୁ ଭାରତୀୟ ଆଇନ ଅନୁଯାୟୀ, ବାପା ମାଆଙ୍କ ଋଣ ପରିଶୋଧ କରିବା ପିଲାମାନଙ୍କର କୌଣସି ବ୍ୟକ୍ତିଗତ ଦାୟିତ୍ୱ ନୁହେଁ।

ଭାରତୀୟ ଆଇନ ଅନୁଯାୟୀ, ପିତାମାତାଙ୍କ ଋଣ ପରିଶୋଧ କରିବା ପିଲାମାନଙ୍କର କୌଣସି ବ୍ୟକ୍ତିଗତ ଦାୟିତ୍ୱ ନୁହେଁ, ଯଦି ସେମାନେ ସେହି ଋଣ ପାଇଁ ଗ୍ୟାରେଣ୍ଟର ଭାବରେ ଦସ୍ତଖତ କରିନାହାଁନ୍ତି। ଅର୍ଥାତ୍, କେବଳ ପୁଅ କିମ୍ବା ଝିଅ ହୋଇ କାହାର ଋଣ ପରିଶୋଧ କରିବା କୌଣସି ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯଦି ମୃତ ବ୍ୟକ୍ତି କୌଣସି ଟଙ୍କା କିମ୍ବା ସମ୍ପତ୍ତି ଛାଡି ଯାଇଥାଆନ୍ତି, ତେବେ ସେ ମାମଲାରେ ନିୟମ ପରିବର୍ତ୍ତନ ହୋଇଥାଏ।

ଏପରି ପରିସ୍ଥିତିରେ ଆଇନ, ଋଣଦାତାମାନଙ୍କୁ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିରୁ ବକେୟା ରାଶି ଆଦାୟ କରିବାର ଅଧିକାର ଦିଏ। ସେମାନେ ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପୂର୍ବରୁ ପ୍ରାପ୍ୟ ଆଦାୟ କରିପାରିବେ। କିନ୍ତୁ ଏହି ଦାୟିତ୍ୱ କେବଳ ସମ୍ପତ୍ତିର ମୂଲ୍ୟ ପର୍ଯ୍ୟନ୍ତ ସୀମିତ।

ମାନେ ଯଦି ମୃତ ବ୍ୟକ୍ତି 1 ଲକ୍ଷ ଟଙ୍କା ଋଣ ନେଇଥିବେ ଏବଂ ତାଙ୍କ ସମ୍ପତ୍ତିର ମୂଲ୍ୟ 2 ଲକ୍ଷ ଟଙ୍କା ହୋଇଥିବ, ତେବେ ସେହି ସମ୍ପତ୍ତିରୁ ଋଣ ପରିଶୋଧ କରାଯିବ। କିନ୍ତୁ ଯଦି ସମ୍ପତ୍ତିର ମୂଲ୍ୟ ଋଣଠାରୁ କମ୍ ହୋଇଥାଏ, ଅର୍ଥାତ୍ 1 ଲକ୍ଷ ଟଙ୍କାରୁ କମ୍, ତେବେ ଋଣଦାତା ସାଧାରଣତଃ ଅବଶିଷ୍ଟ ପରିମାଣକୁ ଛାଡ଼ କରିଦିଏ, କାରଣ ତାଙ୍କ ପିଲାମାନଙ୍କଠାରୁ ଏହା ଆଦାୟ କରିବାର ଅଧିକାର ନାହିଁ।

ଯଦି ଆମେ ବ୍ୟକ୍ତିଗତ ଋଣ, ଶିକ୍ଷା ଋଣ କିମ୍ବା କ୍ରେଡିଟ୍ କାର୍ଡ ଦେୟ ବିଷୟରେ ଆଲୋଚନା କରିବା ତେବେ ଏପରି କ୍ଷେତ୍ରରେ, ଋଣଦାତା କେବଳ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିରୁ ଋଣ ଆଦାୟ କରିପାରିବେ। ଏହି ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟ, ଫିକ୍ସ ଡିପୋଜିଟ, ମ୍ୟୁଚୁଆଲ୍ ଫଣ୍ଡ, ଅଳଙ୍କାର କିମ୍ବା ଘର ଭଳି ଜିନିଷ ହୋଇପାରେ।

ଯଦି ସମ୍ପତ୍ତିର ମୂଲ୍ୟ ଋଣ ପୂରଣ କରିବା ପାଇଁ ଯଥେଷ୍ଟ ହୁଏ, ତେବେ ଋଣ ପରିଶୋଧ କରାଯାଏ। କିନ୍ତୁ ଯଦି କୌଣସି ସମ୍ପତ୍ତି ନାହିଁ କିମ୍ବା ଏହାର ମୂଲ୍ୟ କମ୍ ହୁଏ, ତେବେ ଉତ୍ତରାଧିକାରୀଙ୍କୁ ନିଜ ଟଙ୍କାରୁ ଋଣ ପରିଶୋଧ କରିବାକୁ ପଡ଼ିବ ନାହିଁ।

ଗୃହ ଋଣ ଏବଂ କାର ଋଣ

ହୋମ ଲୋନ କିମ୍ବା କାର ଲୋନ ନେଇ ଯଦି ଋଣଗ୍ରହୀତା ମୃତ୍ୟୁବରଣ କରନ୍ତି ଏବଂ ଏପର୍ଯ୍ୟନ୍ତ ସୁଝି ନାହାଁନ୍ତି, ତେବେ ଋଣଦାତା ସେହି ଘର ଆଉ କାରକୁ ବିକ୍ରି କରି କିମ୍ବା ଜବତ କରି ତାର ଟଙ୍କା ଆଦାୟ କରିପାରିବେ। ଯଦି ଉତ୍ତରାଧିକାରୀମାନେ ସେହି ସମ୍ପତ୍ତି ରଖିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେହି ଲୋନକୁ ନିଜ ନାମରେ ସ୍ଥାନାନ୍ତର କରିବାକୁ ପଡିବ ଏବଂ ବାକି ଥିବା ପଇସା ଦେବାକୁ ପଡିବ। ସେଥିପାଇଁ ମଧ୍ୟ ବ୍ୟାଙ୍କ, ଉତ୍ତରାଧିକାରୀଙ୍କ ଆର୍ଥିକ ଅବସ୍ଥା ଏବଂ କ୍ରେଡିଟ୍ ସ୍କୋର ଦେଖିବା ପରେ ହିଁ ଋଣ ହସ୍ତାନ୍ତର କରିବ କି ନାହିଁ ନିଷ୍ପତ୍ତି ନିଏ।

ଯଦି ଉତ୍ତରାଧିକାରୀ ଗ୍ୟାରେଣ୍ଟର ହୁଅନ୍ତି ତେବେ କ’ଣ ହେବ?

ଯଦି ଜଣେ ଉତ୍ତରାଧିକାରୀ ଋଣ ପାଇଁ ଗ୍ୟାରେଣ୍ଟର ହୋଇଥାନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବାକୁ ପଡିବ। ଗ୍ୟାରେଣ୍ଟର ହେବା ଅର୍ଥ ହେଉଛି ସେ ଆରମ୍ଭରୁ ଋଣର ଦାୟିତ୍ୱ ନେଇଛନ୍ତି। ଏପରି ପରିସ୍ଥିତିରେ, ଯଦି ମୁଖ୍ୟ ଋଣଗ୍ରହୀତାଙ୍କ ମୃତ୍ୟୁ ହୁଏ, ତେବେ ସମସ୍ତ ଦାୟିତ୍ୱ ଗ୍ୟାରେଣ୍ଟରଙ୍କ ଉପରେ ପଡିଥାଏ।

ଯଦି କ୍ରେଡିଟ୍ କାର୍ଡ ଦେୟ ଅଛି ତେବେ କଣ ହେବ?

କ୍ରେଡିଟ୍ କାର୍ଡ ଦେୟ କିମ୍ବା ଅନ୍ୟାନ୍ୟ ଋଣ ଅଛି ତେବେ ବ୍ୟାଙ୍କ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିରୁ ସେଗୁଡ଼ିକୁ ଆଦାୟ କରିପାରିବ। ଯଦି କୌଣସି ସମ୍ପତ୍ତି ନାହିଁ ଏବଂ ଉତ୍ତରାଧିକାରୀ ଗ୍ୟାରେଣ୍ଟର ନୁହଁନ୍ତି, ତେବେ ଋଣ କ୍ଷମା କରାଯାଏ। ଯଦି ଉତ୍ତରାଧିକାରୀ କ୍ରେଡିଟ୍ କାର୍ଡକୁ ଅଧିକ ଥର ବ୍ୟବହାର କରିଥାନ୍ତି ତେବେ ପରିସ୍ଥିତି ଜଟିଳ ହୋଇପାରେ। କାରଣ ଏହା କିପରି ଏବଂ କାହାର ପରାମର୍ଶରେ ବ୍ୟବହାର କରାଯାଇଥିଲା ତାହା ଉପରେ ନିର୍ଭର କରେ।

ଓକିଲ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କ ସାହାଯ୍ୟ କାହିଁକି ଆବଶ୍ୟକ?

ଆଇନ ଋଣଦାତାମାନଙ୍କୁ ଆଇନଗତ ଦାୟିତ୍ୱ ବିନା ପରିବାର ସଦସ୍ୟଙ୍କୁ ଋଣ ପରିଶୋଧ କରିବାକୁ ବାଧ୍ୟ କରିବାକୁ ଅନୁମତି ଦିଏ ନାହିଁ। ତେଣୁ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଏବଂ ଋଣ ମାମଲାକୁ ଶୁଝିବା ପାଇଁ ଜଣେ ଓକିଲ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କ ସାହାଯ୍ୟ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ବାଣ୍ଟିବା ପୂର୍ବରୁ ସମସ୍ତ ଋଣ ପରିଶୋଧ କରିବାକୁ ପଡିବ।