ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇଥାଏ ସଜନା ଶାଗ; ବୃଦ୍ଧି କରେ ରୋଗ ପ୍ରତିରୋଧକ ଶକ୍ତି

ସଜନାରେ ପ୍ରଚୁର ମାତ୍ରାରେ ଆଇରନ ଥିବାରୁ ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସଜନା ଚାଷର ଗୁରୁତ୍ୱ ବର୍ତ୍ତମାନ ସମୟରେ ଯଥେଷ୍ଟ ବୃଦ୍ଧି ପାଇଛି । ଶୁଷ୍କାଞ୍ଚଳରେ ଏହା ଏକ ପ୍ରଧାନ ଫସଲ ଭାବେ ଚାଷ କରାଯାଏ । ଗଛର ଆବଶ୍ୟକୀୟ ବୃଦ୍ଧି ପାଇଁ ୨୫-୩୦ ଡିଗ୍ରୀ ସେଲସିୟସ ତାପମାତ୍ରା ଆବଶ୍ୟକ । ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଏହାର ଫୁଲ ଓ ପତ୍ର ଗୁଡ଼ିକ ଝଡ଼ିପଡ଼େ । ସଜନା ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଇ ପାରିବ । ତେବେ ଏଥପାଇଁ ନିଗିଡ଼ା, ବାଲିଆ ଦୋରସା ଏବଂ ଦୋରସା ମାଟି ଉକ୍ରୃଷ୍ଟ ହୋଇଥାଏ ।

ଏହି ଚାଷ ପାଇଁ ଆପଣ ମେ ଓ ଜୁନ ମାସରେ ତଳି ପକାଇବା ଆରମ୍ଭ କରିପାରିବେ । ମାଟି ଓ ସଢ଼ା ଗୋବର ଓ ଖତ ଗୁଣ୍ଡ ୨:୧ ମିଶ୍ରଣ ପ୍ରସ୍ତୁତ କରି ପଲିଥିନ ପ୍ୟାକେଟରେ ଭର୍ତ୍ତି କରି ଉପରୁ ୧ ଇଞ୍ଚ ଖାଲି ରଖନ୍ତୁ । ପଲିଥିନ୍ ମୁଣା ଗୁଡ଼ିକ ଛାଇ ଯାଗାରେ ଭଲ ଭାବେ ସଜେଇ ରଖି ପ୍ରତ୍ୟେକ ମୁଣାରେ ଦୁଇ ଦୁଇ ଗୋଟି ମଞ୍ଜି ପୋତି ଦେଇ ଝରା ସାହାଯ୍ୟରେ ପାଣି ଦିଅନ୍ତୁ । ମଞ୍ଜି ଲଗେଇବାର ୮-୧୦ ଭିତରେ ଗଜା ବାହାରିଥାଏ । ଗଜା ବାହାରିବାର ୩୦-୩୫ ଦିନ ଭିତରେ ଏହା ତଳି ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ ।

ମୃତ୍ତିକା ପରୀକ୍ଷା ଭିତ୍ତିରେ ଜମିରେ ଖତ ଓ ସାର ପ୍ରୟୋଗ କରିବା ଉଚିତ୍ । ଖତ ସହ ନିମ୍ବପିଡ଼ିଆ, ଡି. ଏପି. କିମ୍ବା ସିଙ୍ଗଲ ସୁପର ଫସଫେଟ, ୟୁରିଆ, ବୋରାକ୍ସ ଏବଂ ପଟାସ ପ୍ରୟୋଗ କରି ପାରିବେ । ଗଛ ଗୁଡ଼ିକ ୭୫ ସେ.ମି ଉଚ୍ଚ ହୋଇଗଲେ ଏହାର ଅଗ ଗୁଡ଼ିକ କାଟିଦେବା ଉଚିତ୍ । ସଜନା ଏକ ଶୁଷ୍କାଞ୍ଚଳର ଫସଲ ହୋଇଥିବାରୁ ଏହା ଅଧିକ ଜଳ ସେଚନ ଆବଶ୍ୟକ କରେ ନାହିଁ । ଗଛ ମୂଳରେ ଯେପରି ପାଣି ଠିଆ ହୋଇ ନରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଚାରା ଲଗାଇବାର ୬ ମାସ ଠାରୁ ବର୍ଷିକିଆ କିସମ ଗୁଡ଼ିକରେ ଫଳ ଅମଳ କରାଯାଏ । ସଜନା ଛୁଇଁର ମଞ୍ଜି ଟାଣ ହେବା ପୂର୍ବରୁ ଏହାକୁ ତୋଳିବା ଉଚିତ୍ । ଫୁଲ ଆସିବାର ୬୦ ଦିନ ପରେ ଫଳ ଅମଳଯୋଗ୍ୟ ହୋଇଥାଏ । ୨-୩ ମାସ ମଧ୍ୟରେ ଛୁଇଁ ଅମଳ କରାଯାଏ ।