fbpx

କନଷ୍ଟେବଳରୁ ASI ପଦୋନ୍ନତି ପ୍ରସଙ୍ଗ: ତ୍ରୁଟିପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ୧୪ ଶହ ପୋଲିସ କର୍ମଚାରୀଙ୍କ ଭାଗ୍ୟ ଅନ୍ଧାରରେ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବାହିନୀରେ କାର୍ଯ୍ୟରତ ୧୪ ଶହ କର୍ମଚାରୀ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । ପଦୋନ୍ନତି ପ୍ରକ୍ରିୟାରେ ଅସଙ୍ଗତି କାରଣରୁ ଏପରି ସ୍ଥିତି ଦେଖିବାକୁ ପଡ଼ିଛି । ଫଳରେ ପଦୋନ୍ନତି ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏକାଧିକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ମାମଲା ବିଚାରାଧୀନ ଥିବାବେଳେ ଏଏସଆଇ ପଦବୀ ପୂରଣ ନେଇ ଆଶଙ୍କା ଦେଖାଦେଇଛି ।

ଜଣାପଡ଼ିଛି ଯେ, ୨୦୧୭ରେ କନଷ୍ଟେବଳରୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ପାଇଁ ଲିଖିତ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ଧାର୍ଯ୍ୟ ସମୟରେ ପରୀକ୍ଷା ହୋଇ ନପାରି ଦ୍ୱିତୀୟ ଥର ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ନିୟମରେ ପରିବର୍ତ୍ତନ ହୋଇ ଗତ ବର୍ଷ ଡିସେମ୍ବର ମାସରେ ୪୬୦୭ ଜଣ କନଷ୍ଟେବଳ ଏଏସଆଇ ପରୀକ୍ଷା ଦେଇଥିଲେ । ମୋଟ ୨ ଶହ ମାର୍କରୁ ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖିଥିବା ୨୪୯୬ ପ୍ରାର୍ଥୀଙ୍କ ନାମ ଯୋଗ୍ୟ ତାଲିକାରେ ପ୍ରକାଶ ପାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୧୦୯୨ ଜଣଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଇ ତାଲିମ୍ ପାଇଁ ପଠାଯାଇଥିଲା । ମାତ୍ର ଚୟନ ପ୍ରକ୍ରିୟାର ଅବଧି ୨୦୨୦ ମସିହା ପର୍ଯ୍ୟନ୍ତ ଧାର୍ଯ୍ୟ ଥିବାରୁ ଅବଶିଷ୍ଟ ୧୪ ଶହ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏଥିରେ ନିରାଶ ହୋଇ ଅନେକ ଆଶାୟୀ ଚଳିତ ଜାନୁଆରୀରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ପିଟିସନର ଶୁଣାଣି କରି ବର୍ଷକ ମଧ୍ୟରେ ସମସ୍ତଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ରାୟ ଦେଇଥିଲେ । ତେବେ ବିଗତ ବର୍ଷରେ ଏଏସଆଇ ପରୀକ୍ଷାରେ ୩୦ ପ୍ରତିଶତ ରଖିଲେ ଯୋଗ୍ୟ ବିବେଚିତ ହେଉଥିବା ବେଳେ ୨୦୨୦ରେ ୪୦ ପ୍ରତିଶତ ଧାର୍ଯ୍ୟ ହୋଇଥିବାରୁ ଅନେକ ଆଶାୟୀ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା କାରଣରୁ ପୋଲିସ ବିଭାଗର ଅନେକ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.