ଭଞ୍ଜନଗର(ଓଡ଼ିଶା ଭାସ୍କର): ଜଙ୍ଗଲରେ ଠାବ ହେଲା ନକଲି ମଦ କାରଖାନା । ଜବତ ହେଲା ପେଟି ପେଟି ମଦ । ଆଉ ଅଭିଯୁକ୍ତ ଦେଖାଇଲା ମଦ କେମିତି କରୁଥିଲା ପ୍ରସ୍ତୁତି । ଅବକାରୀ ବିଭାଗ କର୍ମଚାରୀଙ୍କ ଆଗରେ ଅଭିଯୁକ୍ତ ଦେଖାଇଲା ଡେମୋ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ସୋମବାର ଏଭଳି ବିପୁଳ ମଦ ଜବତ ହୋଇଛି ।
ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଓ ଆସ୍କା ଅବକାରୀ ବିଭାଗ ମିଳିତ ଚଢ଼ଉ କରି ନକଲି ମଦ କାରଖାନା ଠାବ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ଦୀର୍ଘଦିନ ଧରି ଚୋରା ମଦ ବେପାରୀମାନେ ଗ୍ରାମାଞ୍ଚଳରେ ମାତିବା ସହ ଲୋକଙ୍କୁ ବିଷାକ୍ତ ମଦ ଦେଉଥିବା ଅଭିଯୋଗ ହେଉଥିଲା । ଭଞ୍ଜନଗର ନିକଟ ବଦାଙ୍ଗି-ରାଇପଲ୍ଲୀ ଗ୍ରାମର ଏକ ଜଙ୍ଗଲରେ ଏଭଳି କାରଖାନା ଠାବ ହୋଇଥିବାବେଳେ ସେଠାରୁ ବିପୁଳ ନକଲି ବିଦେଶୀ ମଦ ଜବତ ହୋଇଛି । ଏଥିସହ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଷ୍ଟିକର ଓ ଖାଲି ବୋତଲ ଜବତ ହୋଇଛି । ତେବେ ଅବକାରୀ ବିଭାଗ ଚଢ଼ଉ ସମୟରେ ୨ ଜଣ ଖସି ପଳାଇଥିବା ବେଳେ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଦୋମୁହାଁଣୀ ଗରୁଡୁ ଗ୍ରାମର ଟୁବୁଲୁ ନାୟକ । ତାକୁ କୋର୍ଟ ଚାଲାଣ କରାଯାଇଛି । ଜଙ୍ଗଲରେ ଚାଲିଥିବା ଉକ୍ତ ନକଲି କାରଖାନାରୁ ୨୩୨ ଲିଟର ବିଦେଶୀ ନକଲି ମଦ ଜବତ କରାଯାଇଥିବାବେଳେ ନାମିଦାମୀ ବ୍ରାଣ୍ଡର ବୋତଲ ଜବତ କରାଯାଇଛି । ଏହାର ଅଧିକ ତଦନ୍ତ ଚାଲୁ ରହିଥିବା ବିଭାଗୀୟ ଅଧିକାରୀ ଧୀରେନ ବେହେରା ସୂଚନା ଦେଇଛନ୍ତି । ଭଞ୍ଜନଗର ଅବକାରୀ ବିଭାଗର ଏସଆଇ ରମ୍ଭା ବାଗ, କୃଷ୍ଣଚନ୍ଦ୍ର ସେଠୀ ଓ ଅନ୍ୟ ପୋଲିସ କର୍ମୀ ଉପସ୍ଥିତ ଥିଲେ ।