ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ଯୋଗ ଦେବାକୁ ଯାଉଥିବା ଅଗ୍ନିବୀରମାନଙ୍କ ପାଇଁ ଲଗାତାର ଘୋଷଣା ଜାରି ରଖିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ବିଭିନ୍ନ ସୁବିଧା ଏବଂ ସହାୟତା ପାଇଁ କେନ୍ଦ୍ର ସରକାର ତତ୍ପର ହେଉଛନ୍ତି । ଏଥିମଧ୍ୟରେ ଅଗ୍ନିବୀରଙ୍କ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନଙ୍କୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଘୋଷଣା କରିଛି ଶିକ୍ଷା ବିଭାଗ । ସେମାନଙ୍କ ପାଇଁ ଶିକ୍ଷା ବିଭାଗ ତରଫରୁ ବ୍ରିଜିଙ୍ଗ କୋର୍ସ ବ୍ୟବସ୍ଥା କରାଯାଉଛି ।
ଅଗ୍ନିବୀରମାନଙ୍କୁ ଶିକ୍ଷା କ୍ଷେତ୍ରରେ ମିଳିବ ଏକ ବଡ ଉପହାର । ସମସ୍ତ ଅଗ୍ନିବୀରଙ୍କୁ ଭବିଷ୍ୟତରେ ଶିକ୍ଷାର ସମ୍ପୂର୍ଣ୍ଣ ଅବସର ଦେବ ବୋଲି କୁହାଯାଇଛି । ଦଶମ ପାସ କରିଥିବା ଅଗ୍ନିବୀରମାନଙ୍କୁ ଦ୍ୱାଦଶ ସାର୍ଟିପିକେଟ ପ୍ରଦାନ କରାଯିବ । ସେହିପରି ଦ୍ୱାଦଶ ପାସ ଅଗ୍ନିବୀରମାନଙ୍କୁ ମିଳିବ ଡିପ୍ଲୋମା କିମ୍ବା ଡିଗ୍ରୀର ସାର୍ଟିଫିକେଟ ପ୍ରଦାନ କରାଯିବା ନେଇ ଶିକ୍ଷା ବିଭାଗ ଘୋଷଣା କରିଛି । ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ସହ ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ପାଇଁ ଅଧିକ ସୁଯୋଗ ଆଦି ଯୋଗାଇ ଦେବା ପାଇଁ ଶିକ୍ଷା ମନ୍ତ୍ରାଳୟ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ଶିକ୍ଷା କ୍ଷେତ୍ରରେ ମିଳିବ ଏହି ସୁବିଧା:
• କ୍ୟାରିୟର ପାଇଁ ଦ୍ୱାରା କଷ୍ଟମାଇଜ ଡିଗ୍ରୀ ପାଠ୍ୟକ୍ରମର ବ୍ୟବସ୍ଥା । ସେନାରେ ଥିବା ସମୟରେ କୌଣସି ସିଭିଲ ସର୍ଭିସ ପାଇଁ ଉଦ୍ୟୋଗୀତା ଏବଂ ଦକ୍ଷତା ବିକାଶ କ୍ଷେତ୍ରରୁ ସାର୍ଟିଫିକେଟ ପାଇପାରିବେ ।
• ଶିକ୍ଷା, ସ୍ୱରୋଜଗାର ତଥା ବ୍ୟବସାୟ ପାଇଁ ଲୋନର ସୁବିଧା, ଏହାଦ୍ୱାରା ମୁଦ୍ରା ଏବଂ ଷ୍ଟାଣ୍ଡ ଅଫ ଇଣ୍ଡିଆ ଭଳି ସରକାରୀ ଯୋଜନାର ମିଳିବ ଲାଭ ।
• ପବ୍ଲିକ ସେକ୍ଟର ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଆର୍ଥିକ ସଂସ୍ଥାଗୁଡିକରୁ ସହାୟତା ଯୋଗାଇ ଦିଆଯିବ ।
• ଅଗ୍ନିବୀରମାନଙ୍କ ପାଇଁ ସ୍ୱତନ୍ତ୍ର ୩ ବର୍ଷୀୟ କୌଶଳ ଆଧାରିତ ସ୍ନାତକ ଡିଗ୍ରୀ କାର୍ଯ୍ୟକ୍ରମ ଆରମ୍ଭ ହେବ ।
• ରୋଜଗାର ଏବଂ ଶିକ୍ଷା ନିମନ୍ତେ ଏହି ଡିଗ୍ରୀକୁ ଭାରତ ଏବଂ ଅନ୍ୟ ଦେଶରେ ମଧ୍ୟ ମାନ୍ୟତା ମିଳିବ ।
ଏହାପୂର୍ବରୁ ରକ୍ଷା ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ମଧ୍ୟ ଅଗ୍ନିବୀରମାନଙ୍କ ପାଇଁ ସମ୍ବନ୍ଧିତ ବିଭାଗରେ ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଘୋଷଣା କରିସାରିଛି । ଏହାବ୍ୟତୀତ ଅନେକ ରାଜ୍ୟରେ ଅଗ୍ନିବୀରମାନଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବା ପାଇଁ ପ୍ରାଥମିକତା ଦେବାକୁ ଘୋଷଣା କରାଯାଇଛି ।