fbpx

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଯୁଧିଷ୍ଠିରଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଯୁଧିଷ୍ଠିର ପୁରୀ ଜିଲ୍ଲା ପିପିଲା ବିଧାନସଭା ନିର୍ବାଚନ ମଣ୍ଡଳୀରରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଯୁଧିଷ୍ଠିରଙ୍କ ମୃତ୍ୟୁ ନେଇ ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି । ଯୁଧିଷ୍ଠିର ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ରହିଥିଲେ । ଗତ କିଛିଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ସେଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ମାତ୍ର ଶେଷକୁ ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠିର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପାଖାପାଖି ୪୦ ବର୍ଷ ଧରି ଯୁଧିଷ୍ଠିର ରାଜନୀତି ସହିତ ଜଡ଼ିତ ଥିଲେ ।

ଯୁଧିଷ୍ଠିର କ୍ରମାଗତ ଭାବେ ପିପିଲି ଆସନରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ଆସୁଥିଲେ । ଗତ ୨୦୧୯ ମସିହା ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଟିକେଟ ପ୍ରଦାନ କରାଯାଇଥିଲା । ମାତ୍ର ସେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ । ଫଳରେ କଂଗ୍ରେସ ଆଉ ଜଣଙ୍କୁ ପ୍ରାର୍ଥୀ କରିଥିଲା । ସ୍ପଷ୍ଟବାଦୀ, ରୋକଠୋକ ବୟାନକୁ ନେଇ ଯୁଧିଷ୍ଠିର ଜନସାଧାରଣରେ ଚର୍ଚ୍ଚିତ ଥିଲେ । ପିପିଲି ରାଜନୀତି କଥା ଉଠିଲେ ସର୍ବଦା ଯୁଧିଷ୍ଠିରଙ୍କ ନାମ ସାମ୍ନାକୁ ଆସିଥାଏ । ଯୁଧିଷ୍ଠିର ପିପିଲି ଅଞ୍ଚଳରେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ପୁଅ ପ୍ରିୟବ୍ରତ ଏବେ ରାଜ୍ୟ ସରକାରଙ୍କ ଖାଦ୍ୟ ଆୟୋଗର ସଦସ୍ୟ ରହିଛନ୍ତି । ଏଭଳି ଜଣେ ରାଜନେତାଙ୍କ ବିୟୋଗରେ ରାଜ୍ୟ ରାଜନୀତି ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.