ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 4 ମୃତ, 25 ଆହତ

ଭୟଙ୍କର ବିସ୍ଫୋରଣ ଯୋଗୁଁ ଚାଲିଗଲା ଜୀବନ

ପଞ୍ଜାବ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା। ସେ ସଡକ ଦୁର୍ଘଟଣା ହେଉ କି ବାଣ ବିସ୍ଫୋରଣ ଦ୍ୱାରା ହେଉଥିବା ଦୁର୍ଘଟଣା। ପ୍ରତିଦିନ କିଛି ନା କିଛି ଲୋକଙ୍କର ଜୀବନ ଯାଉଛି। ସେହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପଞ୍ଜାବର ଏକ ବାଣ କାରଖାନାରେ।

ପଞ୍ଜାବର ମୁକ୍ତସରରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ସେଠାରେ ପ୍ରାୟ 40 ଜଣ ଲୋକ ରାତିରେ କାମ କରୁଥିଲେ। ଯେଉଁଥିରୁ 4ଜଣଙ୍କର ମୃତ୍ୟୁ ହେବା ସହ 25ଜଣ ଗୁରୁତର ଅଛନ୍ତି ଏବଂ ଆଉ କିଛି ଲୋକ ସେହି ଦୁର୍ଘଟଣାରେ ଫସିକି ରହିଛନ୍ତି। ଯାହାଙ୍କର ଏବେବି ଉଦ୍ଧାର ଚାଲିଛି।

ସୂଚନା ଅନୁସାରେ, ରାତି ପ୍ରାୟ ୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରଖାନାରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ନିଆଁ ଦେଖି ସମସ୍ତେ ଭୟଭୀତ ହୋଇଗଲେ ଏବଂ ଜୀବନ ବଞ୍ଚାଇବାକୁ ଦୌଡ଼ିବାକୁ ଲାଗିଲେ। କିଛି ଶ୍ରମିକ କାରଖାନାରୁ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ଆଉ କିଛି ଲୋକ କାରଖାନାରେ ଫସି ରହି ସେଠାରେ ପୋତି ହୋଇଯାଇଥିଲେ।

ଏହି ଦୁର୍ଘଟଣା ପରେ, ପୋଲିସ ସମେତ ଅଗ୍ନିଶମ ବାହିନୀ, ରିଲିଫ୍ ଏବଂ ଉଦ୍ଧାର ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଯଥାଶୀଘ୍ର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ବଠିଣ୍ଡା ଏମ୍ସରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଚାଲିଛି। ଚାପି ହୋଇଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବିସ୍ଫୋରଣର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପ୍ରଶାସନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏହା ସହିତ ପୋଲିସ କହିଛି ଯେ, କାରଖାନା ମାଲିକ ଏବଂ ଦାୟୀ ଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।