ନକଲି ଡାକ୍ତରଙ୍କୁ ଝଟକା: ପୋଲିସ କବଜାରେ ରମେଶଙ୍କ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ ଥିବା ଜଣାପଡିଛି । ନକଲି ଡାକ୍ତରଙ୍କ ଡ୍ରାଇଭର ପପୁକୁ ରଣପୁରରୁ ଉଠାଇଲା ପୋଲିସ । ଡ୍ରାଇଭର ପପୁକୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭରର ସଂପୃକ୍ତି ଥିବା ପ୍ରମାଣ ମିଳିଛି । ତେବେ ନକଲି ଡାକ୍ତର ଗିରଫ ହେବା ପରେ ଡ୍ରାଇଭର ପପୁ ଫେରାର ଥିଲା ।

ସୂଚନାଯୋଗ୍ୟ, ୧୮ ମହିଳାଙ୍କୁ ବିବାହ, ଏମ୍‌ବିବିଏସ୍ ଆଡମିସନ୍ ନାଁରେ ଠକେଇ, ଚାକିରି ନାଁରେ ଚୂନ, ପୁଳାପୁଳା ବ୍ୟବସାୟୀଙ୍କୁ ଠକିବା ମାମଲାରେ ତିନିଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ଆଣି ନକଲି ଡାକ୍ତର ରମେଶ ସ୍ବାଇଁଠାରୁ ତଥ୍ୟ, ପ୍ରମାଣ କାଢ଼ିବାରେ ବିଫଳ ହୋଇଥିବା ପୁଲିସ ମିଛଧରା ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲକୁ ନେଇଥିଲା। କୋର୍ଟରୁ ଅନୁମତି ମିଳିବା ପରେ ଆଜି ପୁଲିସ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ନକଲି ଡାକ୍ତର ରମେଶ ସ୍ୱାଇଁର ଲାଏ ଡିଟେକ୍ସନ ଟେଷ୍ଟ କରାଇଥିଲା। ଅନ୍ୟପଟେ ରମେଶର ଭଉଣୀ ରଶ୍ମିତା ଭାଇର କ୍ରାଇମ୍‌ କନେକ୍ସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲା। ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଛି ।