fbpx

ଗର୍ଭରେ ଆଖିବୁଜିଲା ଶିଶୁ, ଡାକ୍ତରୀ ଅବହେଳାକୁ ପରିବାର କଲା ଦାୟୀ

ଢେଙ୍କାନାଳ: ପ୍ରସବ ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ପେଟରେ ଶିଶୁ ମୃତ୍ୟୁ ପରେ ଦେଖାଦେଇଛି ହଙ୍ଗାମା । ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସେପଟେ ହଙ୍ଗାମା ଦେଖି ସିଡିଏମଓ କହିଛନ୍ତି, ଅଭିଯୋଗ ସତ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ।

ଅଭିଯୋଗ ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆଖମାର ଗାଁର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନେଇଯାଇଥିଲେ । ବହୁ ସମୟର ସେ ବିଛଣାରେ ପଡି ରହିବା ପରେ ଡାକ୍ତର ଆସିଥିଲେ ଓ ଏକ ଇଞ୍ଜେକ୍ସନ ଦେଇ ସେଠାରୁ ଚାଲିଯାଇଥିଲେ । ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ, କିନ୍ତୁ ଡାକ୍ତରୀ ଷ୍ଟାଫ କାହାର ଦେଖ ନ ଥିଲ।। ୨୪ ଘଣ୍ଟା ଧରି ଉକ୍ତ ମହିଳା ସେମିତି ହସ୍ପିଟାଲ ବେଡରେ ଚିକ୍ରାର କରିବା ପରେ ପରିବାର ଲୋକେ ଆଉ ସହିପାରି ନଥିଲେ । ବାଧ୍ୟହୋଇ ମହିଳାଙ୍କୁ ସରକାରୀ ଡାକ୍ତରଖାନାରୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଅଭିଯୋଗରେ ଆହୁରି କୁହାଯାଇଛି କି, ସେଠାରେ ଡାକ୍ତର ପରୀକ୍ଷା କରି ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା କହିଥିଲେ । ଏହା ପରେ ଅପରେସନ ଦ୍ୱାରା ଗର୍ଭସ୍ଥ ଶିଶୁକୁ କଢାଯାଇଥିଲା । ମୁଖ୍ୟଡାକ୍ତରଖାନାର ଡାକ୍ତରଙ୍କ ଅବହେଳା ପାଇଁ ଏମିତି ହେଲା ବୋଲି ମହିଳା ତଥା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେବାରୁ ସିଡିଏମଓ ଅଭିଯୋଗକାରୀଙ୍କୁ ଆଶ୍ୱସ୍ତ କରିଛନ୍ତି କି, ଯଦି ଅଭିଯୋଗ ସତ ହୁଏ ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦିଆଯିବ ।

Get real time updates directly on you device, subscribe now.