ସମ୍ବଲପୁର: ଆଜି ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ ବର୍ତ୍ତମାନର ବ୍ୟବସ୍ଥା ଶୀର୍ଷକ ଆଲୋଚନାକ୍ରମ ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ, ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଛି । ଜଙ୍ଗଲ ଆମକୁ ସନ୍ତୁଳିତ ଜୀବନ ପ୍ରଦାନ କରିଥାଏ । ଫରେଷ୍ଟ କଭରେଜ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟର ସର୍ବାଧିକ ଜଙ୍ଗଲ ସଂପଦ ରହିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସମ୍ବଲପୁର ଅନ୍ୟତମ । ୨୦୨୫ରୁ ୨୦୭୦ ଅର୍ଥାତ ଆସନ୍ତା ୪୫ ବର୍ଷ ମଦ୍ୟରେ ଆମର ଜଙ୍ଗଲ ପରିସୀମାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ୧୯ଟି ଅଭୟାରଣ୍ୟ ଭିତରୁ ସମ୍ବଲପୁର ଅଞ୍ଚଳରେ ୪ଟି ରହିଛି । ତେଣୁ ଏ ଅଞ୍ଚଳର ଜନଜୀବନ, ବନ୍ୟଜନ୍ତୁ, ବନଜାତ ଦ୍ରବ୍ୟ, ଅର୍ଥନୀତି ଓ ସମାଜ, ଏସବୁ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସନ୍ତୁଳିତ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟଖ । ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କେବଳ ପରିବେଶ ପାଇଁ ଅନୁକୂଳ ନୁହେଁ, ଏହା ମଧ୍ୟ ରୋଜଗାରର ଏକ ବଡ଼ ମାଧ୍ୟମ । ଆମ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷିତ ରଖି ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ କରାଯାଇପାରିବ ।
ଜଙ୍ଗଲ ଭିତରେ ରହିଥିବା ଜଳାଶୟଗୁଡ଼ିକର ବିକାଶ, ଜଙ୍ଗଲ ଜମିର ଅଧିକାର, ପେସା ଆଇନ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ବନ୍ୟଯନ୍ତୁ ଓ ମଣିଷ ଭିତରେ ସଂଘର୍ଷକୁ ହ୍ରାସ କରିବା ଆଦି ଦିଗରେ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୭୦ ସୁଦ୍ଧା ଭାରତକୁ କାର୍ବନ ଏମିଶନ କ୍ଷେତ୍ରରେ ନେଟ୍ ଜିରୋ କରିବାର ସଂକଳ୍ପ ଆମେ ନେଇଛୁ ଏବଂ ମିଶନ LiFEର ପରିକଳ୍ପନା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘ଏକ୍ ପେଡ୍ ମାଆ କେ ନାମ୍’ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।