ନୂଆଦିଲ୍ଲୀ: ଆଇପିଏଲର ୬ଟି ଟିମ ଏବେ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ଖେଳିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ତେବେ ଏହି ଲିଗରେ ଭାରତୀୟ ଫ୍ରାଞ୍ଚାଇଜି ଖେଳିଲେ ଅନେକ ଖେଳାଳି ଦଳକୁ କମବ୍ୟାକ କରିବାର ସମ୍ଭାବନା ରହିଛି । ଏହି ତାଲିକାରେ ସବୁଠୁ ଆଗରେ ରହିଛି Mr. IPL ଅର୍ଥାତ ସୁରେଶ ରାଇନାଙ୍କ ନାଁ । ତେବେ ରାଇନାଙ୍କ ସମେତ ଦେଶର ଅନ୍ୟ ପୂର୍ବତନ ଖେଳାଳିମାନଙ୍କୁ ଏହି ଲିଗରେ ଖେଳିବାର ସୁଯୋଗ ମିଳିପାରେ । ଏ ନେଇ ସମ୍ଭାବନା ଥିବା କହିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ।
ଆଫ୍ରିକାର ଏହି ଲିଗକୁ ନେଇ ଆକାଶ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଫ୍ରାଞ୍ଚାଇଜି ଦକ୍ଷିଣ ଆଫ୍ରିକା ଲିଗରେ ୬ଟି ଟିମ କିଣିବାର ଅର୍ଥ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଭାରତୀୟ ଲିଗ ହେବା ସହ ସମାନ । ୟୁଏଇରେ ମଧ୍ୟ ଭାରତୀୟ ଫ୍ରାଞ୍ଚାଇଜିମାନଙ୍କର ଭାଗିଦାରୀ ରହିଛି । ତେବେ ଏମିତି ହେଲେ ଫ୍ରାଞ୍ଚାଇଜି ନିଶ୍ଚୟ ଖେଳାଳିମାନଙ୍କୁ ବିଭିନ୍ନ ଦେଶରେ ଖେଳାଇବାକୁ ଚାହିଁବ । ତେବେ ରାଇନାଙ୍କୁ ପୁଣି ଥରେ ମଇଦାନରେ ଦେଖିବାକୁ ଚାହିଁଛନ୍ତି ଆକାଶ ।
ତେବେ ରାଇନା ଯଦି ଏହି ଲିଗ ପାଇଁ ନିଜକୁ ଉପଲବ୍ଧ କରିବେ, ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ । ଏହି ଲିଗରେ ଆଇପିଏଲରେ ପଛରେ ପଡିଯାଇଥିବା ଅନେକ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମ୍ଭାବନା ରହିଥିବା କହିଛନ୍ତି ଆକାଶ ଚୋପ୍ରା । କିନ୍ତୁ ରାଇନାଙ୍କ କଥା ସମ୍ପୂର୍ଣ୍ଣ ଅଲଗା ଏବଂ ରୋମାଞ୍ଚକର ହୋଇପାରେ । ଏହି ଟୁର୍ଣ୍ଣାମେଣ୍ଟରେ ଅଧିକାଂଶ ଫ୍ରାଞ୍ଚାଇଜି ରାଇନାଙ୍କ ଉପରେ ଟଙ୍କା ଉଡାଇବେ ବୋଲି ଆକାଶ ଭବିଷ୍ୟବାଣୀ କରିଛନ୍ତି ।
ସୂଚନା ଯୋଗ୍ୟ, ୨୦୨୦ ଅଗଷ୍ଟ ୧୫ ତାରିଖରେ କ୍ୟାପଟେନ କୁଲ ମାହିଙ୍କ ସହିତ କ୍ରିକେଟକୁ ଅଲବିଦା କହିଥିଲେ ରାଇନା । ଏହାପରେ ୨୦୨୧ ଆଇପିଏଲ ସିଜନରେ ଖରାପ ପ୍ରଦର୍ଶନ ପରେ ସିଏସକେ ତାଙ୍କୁ ୨୦୨୨ ମେଗା ଅକ୍ସନରେ ରିଲିଜ କରିଥିଲା । ଫଳରେ ଏହି ସିଜନରେ ସେ ଅନସୋଲ୍ଡ ରହିଥିଲେ । ପରେ ସେ ଅନ୍ୟ କ୍ରିକେଟ ମହାରଥୀଙ୍କ ସହିତ କମେଣ୍ଟ୍ରି ବକ୍ସରେ ନିଜ ଜଲୱା ଦେଖାଇଛନ୍ତି ।