fbpx

ବୁଦ୍ଧ ମନ୍ଦିର ପରିସରରେ ଗହ୍ମା ପର୍ବ ଅନୁଷ୍ଠିତ; ପାଟରା ଜାତିର ବିକାଶ ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ୟୁନିଟ୍ ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପ୍ରତୀକାତ୍ମକ ଗହ୍ମା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ମାନଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମନ୍ତ୍ର ପାଠ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଷ୍ଟ୍ର ଧର୍ମ ସର୍ବୋପରି ବୋଲି ମନ୍ତ୍ରୀ କହିଥିଲେ । ଏହା ସହ ରାଷ୍ଟ୍ର ପାଇଁ ଆମେ ଓ ଆମ ପାଇଁ ଜାତି ରହିଛି ବୋଲି ସେ କହିଥିଲେ ।

ପାଟରା ଜାତିର ବିକାଶ ପାଇଁ ଭୁବନେଶ୍ବରରେ ଏକ ଜାଗା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଏକ ଜାତି ଏକ ମନ ହୋଇ ରହି ଦେଶର ବିକାଶ ରଥରେ ଭାଗ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପୃଷ୍ଟି, ରୁଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଜାତିର କିପରି ଉନ୍ନତି ହେବ ସେ ଉପରେ ଆଲୋଚନା କରିଥିଲେ । ପାଟରା ମାନଙ୍କର ଏକ ପ୍ରମୁଖ ପର୍ବ ଭାବେ ଗହ୍ମା ପର୍ବ ପାଳନ କରାଯାଏ । ଶ୍ରୀ ବଳଦେବ ହେଉଛନ୍ତି ପାଟରା ମାନଙ୍କର କୁଳ ଦେବତା । ରାକ୍ଷୀ ପୂର୍ଣ୍ଣିମାଠାରୁ ଆରମ୍ଭ କରି ୫ ଦିନ ପର୍ଯ୍ୟନ୍ତ ବଡ଼ ଠାକୁର ବଳଦେବଙ୍କ ଜନ୍ମୋତ୍ସବ ପାଟରା ଘରେ ଘରେ ପାଳନ କରାଯାଏ ।

ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିନକୁ ଧୂମ ଧାମ ରେ ପାଳନ କରିବା ସହ ଯେହେତୁ ଏ ରାଜ୍ୟ ଭାଇଚାରାର ପରମ୍ପରାରେ ବଢି ଆସିଛି, ଏଠାକାର ଲୋକେ ଚାଷ ଉପରେ ନିର୍ଭର କରନ୍ତି, ଚାଷ ଓଡ଼ିଆ ଲୋକଙ୍କ ଜୀବନ ଜୀବିକାର ଆଧାର। ଚାଷ ସହ ପ୍ରଭୁ ବଳଭଦ୍ରଙ୍କ ସମ୍ପର୍କ ବେଶ ନିବିଡ଼। ତେଣୁ ଓଡ଼ିଆ ଲୋକେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ବା ଗହ୍ମା ପୂର୍ଣ୍ଣିମା ରୂପେ ପାଳନ କରନ୍ତି। ପାଟରା ସମିତିର ଇଷ୍ଟ ଦେବତା ହେଉଛନ୍ତି ପ୍ରଭୁ ବଳଭଦ୍ର। ତେଣୁ ସେହି ହିସାବରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିରେ ୫ ଦିନ ମଧ୍ୟରେ ଏକ ପୂଜାର ଆୟୋଜନ କରାଯାଏ ବୋଲି କହିଥିଲେ ସମିତିର ସାଧାରଣ ସମ୍ପାଦକ। ସମିତି ସଂଯୋଜକ ଦେବେନ୍ଦ୍ର ପୃଷ୍ଟି କହିଥିଲେ ଏହି କାର୍ଯ୍ୟକ୍ରମରେ ଆମ ଠାକୁରଙ୍କ ପରମ୍ପରା ଓଡ଼ିଆ ଜାତି, ଭାଷା , ବିଚାରକୁ ସୁଦୃଢ଼ କରିବା ପାଇଁ ମଧ୍ୟ ପ୍ରୟାସ କରିଛୁ। ଆଗକୁ କିପରି ପରବର୍ତ୍ତୀ ପିଢ଼ି ଭିତରେ ଏହି ପର୍ବ ପାଳନ ନେଇ ଉତ୍ସାହ ବଜାୟ ରହିବ ସେ ଉପରେ ମଧ୍ୟ ପାଟରା ମୁରବୀମାନେ ମତ ରଖିଥିଲେ । ପରିଶେଷରେ ଧନ୍ୟବାଦ୍ ଜ୍ଞାପନ କରିବା ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

Get real time updates directly on you device, subscribe now.