fbpx

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେଲେ ଗୌତମ ଗମ୍ଭୀର, BCCIର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଜୟ ଶାହ । ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଥିବାବେଳେ ଟିମ ଇଣ୍ଡିଆର ନୂତନ କୋଚ ହେବା ନେଇ ଗମ୍ଭୀରଙ୍କ ନାଁ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା ।

୨୦୧୧ ବିଶ୍ୱକପ ଦଳର ସଦସ୍ୟ ଥିଲେ ଗମ୍ଭୀର । ଗମ୍ଭୀର ଟିମ ଇଣ୍ଡିଆ ପାଇଁ ୫୮ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୧୫୪ ରନ କରିଛନ୍ତି । ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି । ଟି-୨୦ରେ ୩୭ ମ୍ୟାଚ ଖେଳି ୯୩୨ ରନ କରିପାରିଛନ୍ତି । ତେବେ ଆଇପିଏଲରେ କୋଲକାତାକୁ ୩ ଥର ଚମ୍ପିଆନ କରାଇବାରେ ଗମ୍ଭୀରଙ୍କ ଅନେକ ଭୂମିକା ରହିଛି । ଦୁଇ ଥର ଅଧିନାୟକ ଭାବେ ଚମ୍ପିଆନ କରାଇଥିବା ବେଳେ ଥରେ କୋଚ ଭାବେ ସଫଳତା ଦେଇଛନ୍ତି । ଏହା ସହ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇପାରିଥିଲା ।

ଭାରତୀୟ କ୍ରିକେଟ୍ ଟିିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତିକୁ ନେଇ ଗମ୍ଭୀର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଭାରତ ହେଉଛି ମୋ ପରିଚୟ ଏବଂ ଦେଶର ସେବା କରିବା ହେଉଛି ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ । ଏକ ଭିନ୍ନ ଟୋପି ପିନ୍ଧି ମୁଁ ଫେରିଆସିଥିବାରୁ ଗରବାନ୍ୱିତ ଅନୁଭବ କରୁଛି । କିନ୍ତୁ ମୋ ଲକ୍ଷ୍ୟ ସର୍ବଦା ସମାନ ରହିବ ଯାହା ସବୁବେଳେ ଥିଲା, ଭାରତୀୟଙ୍କୁ ଗର୍ବିତ କରିବା ।’କହିରଖୁଛୁ ଗୌତମ ଗମ୍ଭୀରଙ୍କ ଅଧିନରେ ଟିମ୍ ଇଣ୍ଡିଆ ଜୁଲାଇ ୨୭ରେ ଶ୍ରୀଲଙ୍କା ବିପକ୍ଷଷର ପ୍ରଥମ ସିରିଜ ଖେଳିବ । ଚଳିତ ମାସ ଶେଷ ସପ୍ତାହରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ ଯେଉଁଠି ଦୁଇ ଦଳ ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ତେବେ ୨୦୨୭, ଡିସେମ୍ବର ୩୧ ପର୍ଯ୍ୟନ୍ତ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇବେ । ଏହି ସମୟରେ ଅନେକ ICC ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ଗମ୍ଭୀରଙ୍କ ସାମ୍ନାରେ ପ୍ରଥମ ଚ୍ୟାଲେଞ୍ଜ ହେବ । ସେହିପରି ୨୦୨୬ରେ ଟି-୨୦ ବିଶ୍ୱ କପ୍ ଏବଂ ୨୦୨୭ରେ ଦିନିକିଆ ବିଶ୍ୱକପ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ପାଇଁ ଶେଷ ICC ଟୁର୍ଣ୍ଣାମେଣ୍ଟ ହେବ ।

 

 

Get real time updates directly on you device, subscribe now.